ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ଏବଂ ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗ ଓ ସାଧାରଣ ଲୋକ ଅଧ୍ୟୟନ ପାଇଁ ଆସିଥାନ୍ତି । ଏହି ପାଠାଗାରଟି ପୁରୁଣା ହୋଇଯାଇଥିବାରୁ, ଏହାର ପୁନରୁଦ୍ଧାର କରାଯାଇ ଚୌକି, ଟେବୁଲ ଓ ଅନ୍ୟ ଆସବାବପତ୍ରର ନବୀକରଣ ସହ ଚଟାଣ ଓ ବିଭିନ୍ନ ସିଭିଲ ଷ୍ଟ୍ରକଚରର ମଧ୍ୟ ଉନ୍ନତି କରାଯିବ। ଏହାସହିତ ପୁସ୍ତକ ଗୁଡିକ ଅତ୍ୟାଧୁନିକ ପଦ୍ଧତିରେ ସଂରକ୍ଷଣ ସହ ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳିତ କରାଯିବ। ପାଠାଗାର ପରିସରରେ ଥିବା ନୂତନ କୋଠାରେ ଆସବାବପତ୍ର ଓ ବାତାନୁକୂଳ ବ୍ୟବସ୍ଥା କରାଯାଇ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ଜନସାଧାରଣ ଯେଭଳି ସୁବିଧାରେ ଅଧ୍ୟୟନ କରିପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ।