ସ୍କ୍ରବ୍ ଟାଇଫସ୍ ନା ଶୁଣିବା ମାତ୍ରକେ ଛାନିଆ ହେଲେଣି ଲୋକେ । ଡେଙ୍ଗୁ ଭୟ ନଥମୁଣୁ ପୁଣି ଆସି ପହଁଚି ସାରିଛି ସ୍କ୍ରବ୍ ଟାଇଫସ୍ । ଯାହା ଏବେ ବରଗଡ଼ ଜିଲ୍ଲାରେ ଆତଙ୍କ ଖେଳାଉଛି । ଧିରେ ଧିରେ ସ୍କ୍ରବ୍ ଟାଇଫସ୍ ବରଗଡ଼ ଜିଲ୍ଲାରେ ନିଜର କାୟା ବିସ୍ତାର କରିବା ପାଇଁ ପ୍ରସ୍ତୁତି ଚଳାଇଲାଣି । ଏବେ ସୁଦ୍ଧା ଜିଲ୍ଲାରେ ୨୦ ଜଣରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ, ଘରୋଇ ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ସୂତ୍ରରୁ ସୂଚନା ମିଳିଛି । ଏପଟେ କୃଷି ବିଭାଗ ସହିତ ସମନ୍ୱୟ ରଖି ସଚେତନତା ସୃଷ୍ଟି ସହ ସ୍କ୍ରବ୍ ଟାଇଫସ୍ ସହିତ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ବରଗଡ଼ ସିଡିଏମଓ ।ଚାଷ ଓ ଚାଷୀଙ୍କ ଜିଲ୍ଲା ଭାବେ ପରିଚିତ ବରଗଡ଼ ଜିଲ୍ଲାର ଜନସାଧାରଣଙ୍କୁ ଏବେ ଘାରିଛି ସ୍କ୍ରବ୍ ଟାଇଫସ୍ ଚିନ୍ତା । କିଛି ଦିନ ଭିତରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଏବଂ ଘରୋଇ ହସ୍ପିଟାଲକୁ ଆସି ଚିକିତ୍ସିତ ହେଉଛନ୍ତି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ।