ଭାରତ ଏବଂ ପାକିସ୍ତାନ ଏହି ନା ଏକାଠି ଆସିଲେ ମନରେ ଗୋଟିଏ କଥା ଆସେ… ଏମାନେ ପରସ୍ପର ର ଶତ୍ରୁ। ହେଲେ ଦେଶ ଦେଶ ଭିତରେ ଚାଲିଥିବା ବିବାଦକୁ ନେଇ ଆମେ ସିନା ତୁଳନା କରିଚାଲିଛୁ। କିନ୍ତୁ ତା ଭିତରେ ବି ମଣିଷ ପଣିଆର ଜିତ ହେଇପାରେ ବୋଲି ଏକ ବଡ଼ ଉଦାହରଣ ଏବେ ସାମ୍ନାକୁ ଆସିଛି। ଚେନ୍ନାଇର ଏମ୍ଜିଏମ୍ ହେଲ୍ଥକେୟାରରେ ହୃତ୍ପିଣ୍ଡ ପ୍ରତିରୋପଣ ପରେ ପାକିସ୍ତାନର କରାଚିର ଜଣେ ଯୁବତୀ ନୂଆ ଜୀବନ ପାଇଛନ୍ତି। ଆଜ୍ଞା ହଁ ଭାରତର ହୃତପିଣ୍ଡ ଏବେ ପାକିସ୍ଥାନ ରେ ଧକ ଧକ କରିବ। ସହରର ଐଶ୍ବର୍ଯ୍ୟାନ ଟ୍ରଷ୍ଟର ସହଯୋଗରେ ଡାକ୍ତରଖାନା ଓ ସର୍ଜନମାନେ ସମ୍ପୂର୍ଣ୍ଣ ମାଗଣାରେ ଏହି ଅସ୍ତ୍ରୋପଚାର କରିଥିଲେ। ୧୯ ବର୍ଷୀୟା ଆୟେଶା ରାଶାନ ଫ୍ୟାସନ ଡିଜାଇନ ଅଧ୍ୟୟନ କରିବାକୁ ଚାହୁଛନ୍ତି। ଅନେକ ଆଶା ଆଉ ଅଭିଳାଷ ତାଙ୍କ ଜୀବନରେ ରହିଛି। ଟ୍ରଷ୍ଟ ଓ ଚେନ୍ନାଇ ଡାକ୍ତରଙ୍କ ସହଯୋଗ ବିନା ସେମାନେ ଅସ୍ତ୍ରୋପଚାର କରିପାରିନଥାନ୍ତେ ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି। ଡାକ୍ତର, ହସ୍ପିଟାଲ ଓ ମେଡିକାଲ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି ରାଶାନ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତମାନ ସ୍ଥିର ରହିଛି ଏବଂ ସେ ପାକିସ୍ତାନ ଫେରିପାରନ୍ତି।ଗୁରୁତର ହୃଦ୍ରୋଗରେ ପୀଡ଼ିତ ରାଶାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡୋନର ହୃତ୍ପିଣ୍ଡ ଦିଲ୍ଲୀରୁ ଆସିଥିଲା ଏବଂ ଯୁବତୀ ଜଣକ ଭାଗ୍ୟବାନ ଥିଲେ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଡ କେଆର୍ ବାଲକ୍ରିଷ୍ଣନ୍ ଏବଂ ସହ-ନିର୍ଦ୍ଦେଶକ ଡ ସୁରେଶ ରାଓ କହିଛନ୍ତି। ସତରେ ଏମିତି ଖବର ଶୁଣିଲେ ଆମେ ଭାରତୀୟ ଭାରି ଗର୍ବ ଅନୁଭବ କରୁ। କାରଣ ମଣିଷ ପଣିଆ ଆଉ ମାନବିକତାର ଉଦାହରଣ ଆମ ଭାରତୀୟଙ୍କ ଠାରେ ହିଁ ବିଶେଷ ମାତ୍ରାରେ ଦେଖିବାକୁ ମିଳେ।