ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି ସମୟ ମଧ୍ୟରେ କିଛି ଅଞ୍ଚଳରେ ତାପମାତ୍ରା ସ୍ବାଭାବିକରୁ ୫ରୁ ୭ଡିଗ୍ରୀ ବୃଦ୍ଧିର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ଗ୍ରୀଷ୍ମପ୍ରବାହ ସତର୍କ ସୂଚନା ଜାରି କରାଯାଇଛି।
ରାଜଧାନୀରେ ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଛି । ଶୁକ୍ରବାର ଦିନ ୧୧ଟା ୩୦ ମିନିଟ୍ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଆଦ୍ରତା ୩୮% ରେକର୍ଡ କରାଯାଇଛି ।
ଡହଡହ ତାତିରେ ପଶ୍ଚିମ ଓଡ଼ିଶା ଜଳୁଥିବା ବେଳେ ଗତ ଦୁଇଦିନ ତୁଳନାରେ ଗୁରୁବାର ଉପକୂଳ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇଛି। ଆଗକୁ କିଛି ଅଞ୍ଚଳରେ ତାପମାତ୍ରା ସ୍ବାଭାବିକଠାରୁ ୭ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାର ସମ୍ଭାବନା ରହିଛି। ୪ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହକୁ ନେଇ କେତେକ ଅଞ୍ଚଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।