ଆସିଲା ମୌସୁମୀ, ହେଲେ ଆଗକୁ ବଢୁନି । ଅନୁକୂଳ ବାତାବରଣ ନଥିବାରୁ ଆଗକୁ ବଢିପାରୁନି ମୌସୁମୀ ।ଦୁଇ ଦିନ ତଳେ ମାଲକାନଗିରି ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଥିଲା। ଇତିମଧ୍ୟରେ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ମୌସୁମୀ ଆଉ ଆଗକୁ ବଢ଼ିପାରି ନାହିଁ। ସକ୍ରିୟ ହେବାକୁ ପାଗ ଅନୁକୂଳ ନ ଥିବାରୁ ମାଲକାନଗିରିରେ ହିଁ ଅଟକି ରହିଯାଇଛି। ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ମଧ୍ୟ ମୌସୁମୀ ଅଗ୍ରସର ହୋଇ ନ ପାରେ। ଫଳରେ ଆହୁରି ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଚେତାବନୀ ଦେଇଛି। ୨ରୁ ୩ ଡିଗ୍ରୀ ଦିନ ତାପମାତ୍ରା ବଢ଼ିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ. ଗ୍ରୀଷ୍ମ ତାତିକୁ ନଜରରେ ରଖି ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏହା ସହ ପ୍ରଚଣ୍ଡ ତାତିର ମୁକାବିଲା ନେଇ ମଧ୍ୟ ପଦକ୍ଷେପ ନେବାକୁ କହିଛନ୍ତି ଏସଆରସି ।