ଉତ୍ତରପ୍ରଦେଶର କେଦାରନାଥ ଧାମରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଖରାପ ହୋଇଯାଇଥିବା ହେଲିକପ୍ଟରକୁ ଭାରତୀୟ ସେନାର MI-17 ଚପର ଦ୍ୱାରା ସ୍ଥାନାନ୍ତର କରାଯାଉଥିବା ବେଳେ ଏହା ଖସିପଡିଛି। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ସକାଳେ ଖରାପ ହୋଇଯାଇଥିବା ଏକ ହେଲିକପ୍ଟରକୁ ବାୟୁସେନାର MI 17ଚପର ସାହାଯ୍ୟରେ ସ୍ଥାନାନ୍ତର କରାଯାଉଥିଲା। ଏହାକୁ ମରାମତି କରିବା ପାଇଁ ଚପରରେ ରଶି ସାହାଯ୍ୟରେ ଉତ୍ତରପ୍ରଦେଶର ଗୌଚାର ଏୟାରଷ୍ଟ୍ରିପକୁ ନିଆଯାଉଥିଲା। ହେଲେ ହେଲିକପ୍ଟରର ଅତ୍ୟଧିକ ଓଜନ ହେତୁ ଏହା ରଶିରୁ ଛିଡି ତଳେ ଥିବା ପାହାଡରେ କ୍ରାସ୍ ହୋଇଯାଇଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ରୁଦ୍ରପ୍ରୟାଗର ପର୍ଯ୍ୟଟନ ଅଫିସର ରାହୁଲ ଚୌବେଙ୍କ ସୂଚନା ଅନୁସାରେ, ଖରାପ ହେଲିକପ୍ଟରଟି ଚଳିତ ବର୍ଷ ମେ ୨୪ରେ ଅବତରଣ କରିବା ସମୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ହେଲିପ୍ୟାଡରେ ପହଞ୍ଚିବାର ୧୦୦ ମିଟର ପୂର୍ବରୁ ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିଲା ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ତ୍ରୁଟିପୂର୍ଣ୍ଣ ହେଲିକପ୍ଟରକୁ ଆଜି ସକାଳ ପ୍ରାୟ ୭ଟା ସମୟରେ MI 17 ଚପର ଯୋଗେ ଗୌଚାର ଏୟାରଷ୍ଟ୍ରିପକୁ ମରାମତି ପାଇଁ ନିଆଯାଉଥିଲା। ତେବେ ବାୟୁସେନା ଚପର ଭାରସାମ୍ୟ ହରାଇ ବସିଥିଲା। ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଚପରର ପାଇଲଟ ଏହି ହେଲିକପ୍ଟରକୁ ତଳକୁ ପକାଇ ଦେଇଥିଲା। ହେଲିକପ୍ଟର ଭିତରେ କୌଣସି ଯାତ୍ରୀ କିମ୍ବା ଲଗେଜ୍ ନଥିବା ବୋଲି ଚୌବେ ସ୍ପଷ୍ଟ କରିଛନ୍ତି।ଏହି ଘଟଣା ବିଷୟରେ କୌଣସି ଗୁଜବ ପ୍ରଚାର ନକରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।