ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଆର ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି । ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳରେ ମସଗୁଲ୍ ଅଛନ୍ତି ଲୋକେ । ପିଠା, ମିଠା, ପାନ ସାଙ୍ଗକୁ ଭଳି ଭଳିକା ଖାଇବାର ଆସର ବି ଜମିଛି । ରଙ୍ଗ ଲଗାଇ ପରସ୍ପରକୁ ଅଭିବାଦନ ଜଣାଇଛନ୍ତି ସମସ୍ତେ । ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି । ସେପଟେ ହୋଲି ପୂର୍ବରୁ ରଙ୍ଗ ଦୋକାନରେ ରେଡ୍ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନ ଉପରେ କମିଶନରେଟ ପୋଲିସ ପକ୍ଷରୁ ଚଢାଉ କରାଯାଇ ରଙ୍ଗ ଯାଞ୍ଚ କରାଯାଇଛି । କେମିକାଲ ମିଶ୍ରିତ ରଙ୍ଗ ବିକୁଥିବା ଦୋକାନୀଙ୍କୁ ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି ପୋଲିସ । ଏହାସହ କେମିକାଲ ମିଶ୍ରିତ ରଙ୍ଗ ଜବତ କରାଯାଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ଏହି ଚଢାଉରେ ସାମିଲ ଥିବା ବେଳେ ଲୋକଙ୍କୁ ରାସାୟନିକ ରଙ୍ଗ ବ୍ୟବହାର ନ କରିବା ଲାଗି କହିଛନ୍ତି ।ଭାଇଚାରାର ଏହି ପର୍ବକୁ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛି ପୋଲିସ । ରଙ୍ଗର ପର୍ବ ହୋଲିକୁ ଧୁମଧାମରେ ପାଳନ କରନ୍ତୁ । ହେଲେ ହୋଲିରେ ମଦ ପିଇ ଉତ୍ପାତ କରନ୍ତୁନି । ନଚେତ ଆପଣଙ୍କ ରଙ୍ଗ ଫିକା ପଡିବ । ଏପରି ଚେତାବନୀ ଶୁଣାଇଛି କମିଶନରେଟ ପୋଲିସ । ସ୍ପେଶାଲ ଟିମ ସାବାଡ କରିବ ବୋଲି କହିଛି ।