ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୩/୧୪ ତାରିଖରେ ପ୍ରବେଶ କରନ୍ତି । ଏହିଠାରୁ ହିଁ ଓଡ଼ିଆ ନଵଵର୍ଷର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାରେ ଏହି ଦିଵସକୁ ମହାଵିଷୁଵ ସଂକ୍ରାନ୍ତି ଭାଵେ ଉଲ୍ଲେଖ କରାଯାଇଥାଏ । ଏହା ଏମିତି ଏକ ପଵିତ୍ର ଦିନ ଯେଉଁଦିନ ସୂର୍ଯ୍ୟ ପରାଗ ସମ୍ଭାଵନା ଆଦୌ ନଥାଏ । ପରମ୍ପରା ଅନୁସାରେ ଦୋଳପୂର୍ଣ୍ଣିମାରେ ଓଡ଼ିଆ ହିନ୍ଦୁମାନଙ୍କ ଦ୍ଵାରା ପାଞ୍ଜି ପୂଜା କରାଯାଇ ମହାଵିଷୁଵ ସଂକ୍ରାନ୍ତିଠାରୁ ପାଞ୍ଜି ଚଳେ । ଏହି ଦିନ ସୂର୍ଯ୍ୟ ଅଶ୍ଵିନୀ ନକ୍ଷତ୍ର ମେଷ ରାଶିକୁ ଗତି କରିଥାନ୍ତି । ଓଡ଼ିଶାରେ ପ୍ରଚଳିତ ପାଞ୍ଜି ଜଗନ୍ନାଥ ସଂସ୍କୃତି ଓ ନୀତି ଅନୁସାରେ ପ୍ରସ୍ତୁତ ହୋଇଥାଏ । ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର ବ୍ୟତିତ ଯାଜପୁରର ଵିରଜା ମନ୍ଦିରର ପାଞ୍ଜିକୁ ସ୍ଵୀକୃତି ଦିଆଯାଇଥାଏ । ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଏହିଦିନଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉଁରାରେ ଠେକି ଵସାଯାଇ ପାଣି ଢଳାଯାଇଥାଏ । ତେଣୁ ଏହି “ସଙ୍କ୍ରାନ୍ତି”କୁ “ଜଳ ସଙ୍କ୍ରାନ୍ତି” ନାମରେ ମଧ୍ୟ ଜଣାଯାଇଥାଏ । ଏହି ସମୟରେ ପଣାଦାନ କରାଯାଉଥିଵାରୁ ଏହାର ଅନ୍ୟ ଏକ ନାମ ମଧ୍ୟ ପଣା ସଙ୍କ୍ରାନ୍ତି ।
କିମ୍ବଦନ୍ତି:
କିମ୍ବଦନ୍ତି ଅନୁସାରେ ଏକଦା ହନୁମାନ ସୂର୍ଯ୍ୟଙ୍କୁ ଗିଳିଦେଇଥିଲେ । ତେଣୁ ପ୍ରଚଣ୍ଡ ରୌଦ୍ରତାପ ପ୍ରକୋପରୁ ରକ୍ଷାପାଇଵାପାଇଁ ହନୁମାନଙ୍କ ଆଗରେ ଗୁହାରି କରାଯାଏ । ସମୟକ୍ରମେ ଏହାର ମୂଳ ଉଦ୍ଦେଶ୍ୟ ଲକ୍ଷ୍ୟଚ୍ୟୁତ ହୋଇ ହନୁମାନଙ୍କ ଜନ୍ମଦିନ (ଜୟନ୍ତୀ) ଭାବେ ପାଳନ ହେଉଛି । ଦାନ ପୁଣ୍ୟ ଓଡ଼ିଆ ସଂସ୍କୃତିର ମହାନ ଅଙ୍ଗ । ସାମର୍ଥ୍ୟ ଅନୁଯାୟୀ କେହି କେହି ପାଦକୁ ଜୋତା ଓ ଖରା ପାଇଁ ଛତା ବିଞ୍ଚଣା, ପତଳା ଵସ୍ତ୍ର ମଧ୍ୟ ଦାନ କରିଥାନ୍ତି । ସାହିପଡ଼ିଶା, ସାଙ୍ଗସାଥୀମାନଙ୍କୁ ଛତୁଆ ଓ ପଣା ପ୍ରଦାନପୂର୍ଵକ ଭାଵର ଆଦାନପ୍ରଦାନ ମଧ୍ୟ ଏହିଦିନ କରାଯାଇଥାଏ ।
ଦଣ୍ଡନାଚ:
ଦଣ୍ଡନାଚ ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ମାନସିକ ପୂରଣ ପାଇଁ ସାଧାରଣତଃ ଏହା କରାଯାଏ । ରୋଗଵୈରାଗ ନିବାରଣ, ପାରିଵାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନୋକାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମା’ ଦଣ୍ଡକାଳୀ ଓ ରୁଦ୍ର ମହାଦେଵଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମାପରଠାରୁ ଭକ୍ତମାନେ ରହିଥାନ୍ତି । ପାରମ୍ପରିକ ଵିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ନିଜେ ଦଣ୍ଡ ଭୋଗି ଅନ୍ୟର ମନୋରଂଜନ କରନ୍ତି । ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ସୁଆଙ୍ଗ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ । ଵିଷୁଵ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଅସହ୍ୟ ଗରମର କଷ୍ଟ ଲାଘବ ପାଇଁ ଖରାଦିନେ ଏହି ନାଟ ଜନମାନସକୁ ଭଲ ମନୋରଂଜନ ଯୋଗାଇଥାଏ ।