ଆଗ୍ରା: ଭାରତୀୟ ବାୟୁସେନାର ଫାଇଟର ଜେଟ୍ ମିଗ୍-୨୯ ଦୁର୍ଘଟଣାଗ୍ରସ୍ତ । ଆଗ୍ରା ନିକଟରେ କ୍ରାସ୍ ହୋଇ ତଳକୁ ଖସିପଡ଼ିଲା ମିଗ୍-୨୯ । ତେବେ ମିଗ୍-୨୯ର ପାଇଲଟ୍ ପାରାଚ୍ୟୁଟ ଯୋଗେ ବର୍ତ୍ତି ଯାଇଥିବା ସୂଚନା । ପଞ୍ଜାବ ଆଦମପୁରରୁ ଆଗ୍ରା ଯାଉଥିଲା ଭାରତୀୟ ବାୟୁସେନାର ଏହି ଫାଇଟର୍ ଜେଟ୍ ମିଗ୍-୨୯ । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଂଚିଛି ।
ସୂଚନା ଅନୁସାରେ ବିମାନଟି ପଂଜାବର ଆଦମପୁରରୁ ଆଗ୍ରା ଆସୁଥିଲା । ଆଗ୍ରା ଆକାଶରେ ଥିବାବେଳେ ତାହା ହଠାତ ଜଳିବାକୁ ଲାଗିଥିଲା । ନିଆଁ ଲାଗିବା ପରେ ତାହା ଏକ ବିଲରେ ଖସିପଡ଼ିଥିଲା। ଦୁର୍ଘଟଣା ସମୟରେ ପାଇଲଟ ଓ ବିମାନରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ। ବିମାନଟି ମାଟିରେ ପଡ଼ିବା ପରେ ତାହା ସଂପୂର୍ଣ୍ଣ ଜଳିଯାଇଥିଲା। ଆଗ୍ରାର କାଗରୋଲ୍ ଅଞ୍ଚଳର ସୋଙ୍ଗା ଗାଁ ନିକଟରେ ଥିବା ଏକ ବିଲରେ ଏହି ଦୁର୍ଘଟଣା ଘଟିଛି।