ଉତ୍ତର ସିକିମର ଲାଚୁଙ୍ଗ ଓ ଲାଚେନ ଉପତ୍ୟକାକୁ ଯାଉଥିବା ୫୦୦ ପର୍ଯ୍ୟଟକଙ୍କୁ ଭାରତୀୟ ସେନା ପକ୍ଷରୁ ଉଦ୍ଧାର କରାଯାଇଛି। ଚୁଙ୍ଗଥାଙ୍ଗଠାରେ ଭୂସ୍ଖଳନ ଯୋଗୁ ଏହି ଯାତ୍ରୀମାନେ ଅଧାବାଟରେ ଫସି ରହିଥିଲେ। ଜେନ ଏ ଲାଚେନ, ଲାଚୁଙ୍ଗ ଓ ଚୁଙ୍ଗଥାଙ୍ଗ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ରାସ୍ତା ବନ୍ଦ ହୋଇଯାଇଥିଲା।ଚୁଙ୍ଗଥାଙ୍ଗ ଏସ୍ଡିଏମ୍ଙ୍କ ଅନୁରୋଧରେ ତ୍ରିଶକ୍ତି କର୍ପସ ଓ ଭାରତୀୟ ସେନାର ଯବାନମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତ ଯାତ୍ରୀଙ୍କୁ ନିରାପଦରେ ସ୍ଥାନାନ୍ତର କରିଥିଲେ। ଏହି ଯାତ୍ରୀଙ୍କ ମଧ୍ୟରେ ୨୧୬ ପୁରୁଷ, ୧୧୩ ମହିଳା ଓ ୫୪ ପିଲା ଅଛନ୍ତି। ସେମାନଙ୍କୁ ତିନୋଟି ସେନା ଶିବିରରେ ରଖାଯାଇଛି। ଯାତ୍ରୀମାନଙ୍କୁ ରାତିରେ ବିଶ୍ରାମ ଦେବା ପାଇଁ ସୈନ୍ୟମାନେ ସେମାନଙ୍କ ବାରାକ ଖାଲି କରିଦେଇଥିଲେ। ଯାତ୍ରୀଙ୍କ ମେଡିକାଲ ଚେକ୍ଅପ୍ ପାଇଁ ତିନୋଟି ଡାକ୍ତରୀ ଟିମ୍କୁ ମଧ୍ୟ ଶିବରଗୁଡ଼ିକୁ ପଠାଯାଇଥିଲା। ଆକ୍ୟୁଟ୍ ମାଉଣ୍ଟେନ ସିକ୍ନେସ୍ (ଏଏମ୍ଏସ୍) ଦ୍ବାରା ପୀଡ଼ିତ ଯାତ୍ରୀଙ୍କୁ ଆଇସିୟୁକୁ ନେଇ ଉପଯୁକ୍ତ ଚିକିତ୍ସା କରାଯାଇଥିଲା। ସେନାର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ସବୁ ପର୍ଯ୍ୟଟକ ସୁରକ୍ଷିତ ଥିବା ଜଣାପଡ଼ିଛି। ରାସ୍ତା ସଫା ହେଲା ପରେ ସେମାନେ ତାଙ୍କର ଯାତ୍ରା ପୁଣି ଆରମ୍ଭ କରିବେ। ସେ ପର୍ଯ୍ୟନ୍ତ ସେମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।