ସଫଳ ଚନ୍ଦ୍ର ଓ ସୂର୍ଯ୍ୟ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବେ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବାକୁ ଯୋଜନା କରୁଛି। ଆମ ସୌର ଜଗତର ଉଜ୍ଜ୍ବଳତମ ଗ୍ରହ ଶୁକ୍ର ମିସନ ନେଇ ଇସ୍ରୋ ପ୍ରସ୍ତୁତି ଚଳାଇଛି ବୋଲି ଏହାର ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। ଶୁକ୍ର ଗ୍ରହକୁ ଯେଉଁ ପେଲୋଡ୍ଗୁଡ଼ିକ ପଠାଯିବ ସେଗୁଡ଼ିକ ତିଆରି ସରିଯାଇଛି। ମହାକାଶ ଗବେଷଣା କ୍ଷେତ୍ରରେ ଆମର ଅଗ୍ରଗତିକୁ ଏହା ସୂଚାଉଛି। ଦିଲ୍ଲୀରେ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମିରେ ଉଦ୍ବୋଧନ ଦେବା ଅବସରରେ ସୋମନାଥ ଏହା କହିଛନ୍ତି। ଏହି ମିସନର ନାମ ଶୁକ୍ରଯାନ ହେବ ବୋଲି ଜଣାପଡ଼ିଛି। ଏହା ଆସନ୍ତାବର୍ଷ ଲଞ୍ଚ ହେବ ବୋଲି ଆଶା କରାଯାଉଛି।ଏସିଡ୍ରେ ପରିପୂର୍ଣ୍ଣ ଶୁକ୍ରଙ୍କ ବହଳ ବାୟୁମଣ୍ଡଳ ଏବଂ ଏହାର ପୃଷ୍ଠଦେଶ ଉପରେ ଶୁକ୍ରଯାନ ଗବେଷଣା କରି ତଥ୍ୟ ପ୍ରଦାନ କରିବ। ଶୁକ୍ରର ବାୟୁଚାପ ପୃଥିବୀଠାରୁ ୧୦୦ ଗୁଣ ଅଧିକ। ଫଳରେ ଏହା ଉପରେ ଅନୁଧ୍ୟାନ କରିବା ଅତ୍ୟନ୍ତ ଆହ୍ବାନମୂଳକ। ସୋମନାଥ କହିଛନ୍ତି, ଶୁକ୍ରଙ୍କ ବାୟୁମଣ୍ଡଳ ଏତେ ବହଳିଆ ଯେ ତା’ ଭିତରେ ପଶିବା କଷ୍ଟକର ଏବଂ ଶୁକ୍ର ପୃଷ୍ଠଦେଶ କଠିନ କି ନରମ ତାହା ବି ଜଣାନାହିଁ। ପୃଥିବୀ ହୁଏତ ଏକଦା ଶୁକ୍ର ପରି ଥିଲା, ଯାହା କେବେ ବି ବାସୋପଯୋଗୀ ନ ଥିଲା। କିନ୍ତୁ ହଜାର ହଜାର ବର୍ଷ ପରେ ଏଥିରେ ପରିବର୍ତ୍ତନ ହୋଇଥିଲା। ଶୁକ୍ର ଉପରେ ଗବେଷଣାରୁ ପୃଥିବୀର ଆଦ୍ୟସ୍ଥିତି ବିଷୟରେ କିଛି ସୂଚନା ମିଳିପାରିବ ବୋଲି ସୋମନାଥ କହିଛନ୍ତି।