ଭାରତ ହାସଲ କରୁଥିବା ଦ୍ରୁତ ଅଭିବୃଦ୍ଧି ସାରା ବିଶ୍ବ ଲାଗି ଲାଭଦାୟକ ହେବ। ବିଶ୍ବ ଅର୍ଥନୀତି ପ୍ରତି ଭାରତର ଯୋଗଦାନ ବଢ଼ିବ। ଏବେ ବିଶ୍ବ ଅର୍ଥନୀତିରେ ଭାରତର ଭାଗ ୧୬ ପ୍ରତିଶତ ରହିଛି। ଆସନ୍ତା ୫ ବର୍ଷରେ, ଅର୍ଥାତ ୨୦୨୮ ସୁଦ୍ଧା ତାହା ୧୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ ଆକଳନ କରାଯାଇଛି। ଆଇଏମ୍ଏଫ୍ର ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ବିଭାଗର ନିର୍ଦ୍ଦେଶକ କ୍ରିଷ୍ଣା ଶ୍ରୀନିବାସନ ଏହି ସୂଚନା ଦେଇଛନ୍ତି।ଚୀନ୍ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଭାରତ ଆଗକୁ ବଢ଼ୁଛି। ଚଳିତ ଆର୍ଥିକ ବର୍ଷରେ ଭାରତ ୬.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆଇଏମ୍ଏଫ୍ ଆକଳନ କରିଛି। କିନ୍ତୁ ଅର୍ଥନୀତିର ଆକାର ଦୃଷ୍ଟିରୁ ଭାରତଠାରୁ ଚୀନ୍ ବହୁ ଆଗରେରହିବ। ୨୦୨୮ ସୁଦ୍ଧା ଚୀନ୍ ଅର୍ଥନୀତି ୨୩.୬୧ ଲକ୍ଷ କୋଟି ଡଲାରରେ ପହଞ୍ଚିବ। ସେହି ସମୟରେ ଭାରତୀୟ ଅର୍ଥନୀତିର ଆକାର ୫.୯୪ ଲକ୍ଷ କୋଟି ଡଲାର ହୋଇଯିବ। ୨୦୨୩ ଓ ୨୦୨୪ରେ ବିଶ୍ବ ଅର୍ଥନୀତିରେ ଯେଉଁ ବୃଦ୍ଧି ଘଟିବ ସେଥିରେ କେବଳ ଭାରତ ଓ ଚୀନ୍ର ଅବଦାନ ୫୦ ପ୍ରତିଶତରୁ ଅଧିକ ରହିବ ବୋଲି ଆଇଏମ୍ଏଫ୍ ଜଣାଇଛି। ଗତ ସପ୍ତାହରେ ଏଚ୍ଏସ୍ବିସିର ଅର୍ଥନୀତିଜ୍ଞ ଫ୍ରେଡେରିକ୍ ନିଉମାନ୍ ଓ ଜଷ୍ଟିନ୍ ଫେଙ୍ଗ୍ କହିଥିଲେ ଯେ ବିଶ୍ବ ଅର୍ଥନୀତି ପ୍ରତି ଚୀନ୍ର ଯାହା ଅବଦାନ ରହିଛି ଭାରତ ଏବେ ତାହାର ପାଖାପାଖି ବି ନାହିଁ। ଅର୍ଥନୀତିର ଆକାର, ବିଶ୍ବ ପୁଞ୍ଜିନିବେଶ ଓ ବିନିଯୋଗରେ ଭାଗ ଦୃଷ୍ଟିରୁ ଭାରତଠାରୁ ଚୀନ୍ ବହୁ ଆଗରେ ରହିଛି।