ଆଜି ବିଶ୍ୱ ବାଘ ଦିବସ । ସଙ୍କଟରେ ପଡିଥିବା ବାଘଙ୍କର ବଂଶ ରକ୍ଷା ଲାଗି ସଚେତନତା ଦିବସ ଭାବେ ଆଜିର ଦିନକୁ ପାଳନ କରାଯାଉଛି । ୨୦୧୦ ମସିହା ଜୁଲାଇ ୨୯ ତାରିଖରେ ସେଂଟପିଟରର୍ସବର୍ଗ ସମିଟରେ ପ୍ରସ୍ତାବ ଗୃହିତ ହେବା ପରେ ବିଶ୍ୱବାସୀ ବାଘ ଦିବସ ପାଳନ କରିଆସୁଛନ୍ତି ।ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍ ଆୟୋଜିତ ହୋଇଛି। ବାଘ ସଂରକ୍ଷଣର ବାର୍ତ୍ତା ଦେଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ମୟୂରଭଞ୍ଜ ଯଶିପୁରରେ ଏକ ମିନି ମାରାଥନ ଆୟୋଜିତ ହୋଇଛି। ଆଜି ସକାଳୁ ଯଶିପୁର ସ୍ଥିତ ଖଇରୀ ନିବାସରେ ଥିବା ବାଘ ରାଣୀ ଖଇରୀର ସମାଧି ସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ୫ କିଲୋମିଟର ମିନି ମାରାଥନ ଆରମ୍ଭ ହୋଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ କାର୍ୟ୍ୟାଳୟରେ ଶେଷ ହୋଇଥିଲା। ଏହି ମାରାଥନରେ ସ୍କୁଲ୍ କଲେଜ ଛାତ୍ରଛାତ୍ରୀ ସମେତ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଅଂଶଗ୍ରହଣ କରିଥିଲେ।
ବାଘଙ୍କ ବାବଦରେ କିଛି ରୋଚକ ତଥ୍ୟ : ବାଘଙ୍କ ବାବଦରେ କିଛି ରୋଚକ ତଥ୍ୟ ଉପରେ ନଜର ପକାନ୍ତୁ । ପ୍ରତି ବାଘ ଦେହରେ ପାଖାପାଖି ୧୦୦ ପ୍ରକାରର ପଟା ଦାଗ ଥାଏ । ହେଲେ କୌଣସି ବି ଦୁଇଟି ବାଘର ଦେହରେ ସମାନ ପଟା ନଥାଏ । ଅର୍ଥାତ୍ ପ୍ରତି ବାଘ ଦେଖିବାକୁ ଅଲଗା ଅଲଗା, ଠିକ୍ ଫିଙ୍ଗର ପ୍ରିଂଟ ଭଳି । ବାଘ ମୋଟ୍ ୮ଟି ଉପ-ପ୍ରଜାତିର । ବିଭିନ୍ନ ସ୍ଥାନରେ ଦେଖାଦେଉଥିବା ବାଘକୁ ନେଇ ଏହିସବୁ ପ୍ରଜାତିର ନାମକରଣ ହେଉଛି । ବାଘ, ସିଂହ, ଚିତାବାଘ, ଜାଗୁଆର ହେଉଛନ୍ତି ବିଲେଇ ପ୍ରଜାତିର, ଯେଉଁମାନେ ଗର୍ଜନ କରିପାରିବେ ହେଲେ ବିଲେଇ ପରି ଶଦ୍ଦ କରିପାରିବେ ନାହିଁ । ରାତିରେ ମଣିଷ ଯେତିକି ଦେଖିପାରିବ, ତାଠାରୁ ୬ ଗୁଣ ଅଧିକ ଦେଖିପାରେ ବାଘ । ଦେଖିକରି ଓ ଶୁଣିକରି ବାଘ ଶିକାର କରେ, ଶୁଂଘିକରି ନୁହେଁ । ଗୋଟିଏ ଥରକୁ ବାଘ ୨୨ ରୁ ୩୨ କିଲୋଗ୍ରାମ ଯାଏଁ ଖାଦ୍ୟ ଖାଇପାରେ । ଗୋଟିଏ ବାଘ ଥରକେ ପାଖାପାଖି ୧୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଡେଇଁପାରେ ।