ଲେବାନନ୍ସ୍ଥିତ ହେଜବୋଲ୍ଲା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ଉପରେ ଇସ୍ରାଏଲ ବଡ ଧରଣର ଆକ୍ରମଣ କରିଛି। ଲେବାନନ୍ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ୪୯୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩୫ ଶିଶୁ ଓ ୫୮ ମହିଳା ଥିବା ସୂଚନା ରହିଛି। ପାଖାପାଖି ୨୦୦୦ ଲୋକେ ଗୁରୁତର ହୋଇଛନ୍ତି। ଲେବାନନ୍ର ଏପରି ଅଭିଯୋଗ ପରେ ଇସ୍ରାଏଲ ସେନା ସଧାରଣ ନାଗରିକଙ୍କୁ ସ୍ଥାନ ଛାଡି ଚାଲିଯିବାକୁ କହିଛି। ଇସ୍ରାଏଲ କହିଛି ଯେ ଦକ୍ଷିଣ ଲେବାନନ୍ରେ ରହୁଥିବା ସାଧାରଣ ନାଗରିକ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। ବିଶେଷକରି ହେଜବୋଲ୍ଲା ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରି ରଖିଥିବା ସ୍ଥାନ ଓ ଘରଦ୍ବାରକୁ ଛାଡି ଦିଅନ୍ତୁ କାରଣ ଆଗାମୀ ଦିନରେ ହେଜବୋଲ୍ଲା ବିରୋଧରେ ବଡ ଧରଣର ଆକ୍ରମଣ ହେବ। ଇସ୍ରାଏଲ ସେନା କହିଛି ଯେ ଲେବାନନ୍ର ପ୍ରାୟ ୩୦୦ଟି ସ୍ଥାନକୁ ନିଶାଣ କରି ରକେଟ୍ ଓ କ୍ଷେପଣାସ୍ତ୍ର ମାଡ କରାଯାଇଛି। ହେଜବୋଲ୍ଲା ଉପରେ ଚାପ ପକାଇବାକୁ ଆଗାମୀ ଦିନରେ ଅଧିକ ଆକ୍ରମଣ କରିବା ଲାଗି ଇସ୍ରାଏଲ ସେନାମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ହେର୍ଜି ହାଲେଭି ସେନାକୁ ଅନୁମତି ପ୍ରଦାନ କରିଛନ୍ତି। ପେଜର ଓ ୱାକିଟକି ବିସ୍ଫୋରଣ ହେବା ପରଠାରୁ ଇସ୍ରାଏଲର ଆକ୍ରମଣରେ ଲେବାନନ୍ରେ ପ୍ରାୟ ୬୦୦ ନାଗରିକ ପ୍ରାଣ ହରାଇଲେଣି। ପ୍ରାଣ ହରାଇଥିବା ନାଗରିକଙ୍କ ମଧ୍ୟରେ ହେଜବେଲ୍ଲୋର ଅନେକ ଯୋଦ୍ଧା ରହିଛନ୍ତି। ହେଜବୋଲ୍ଲା ଉପରେ ଇସ୍ରାଏଲର ଏପରି ଆକ୍ରମଣକୁ ଗାଜାସ୍ଥିତ ହମାସ ଆତଙ୍କବାଦୀ ସଂଗଠନ ନିନ୍ଦା କରିଛି।