ଲେବାନନ୍ର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଓ ଇସ୍ରାଏଲ ଆଜି ପରସ୍ପର ବିରୋଧରେ ବଡ଼ଧରଣର ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନ ସମର୍ଥିତ ସାମରିକ ଗୋଷ୍ଠୀ ହିଜବୁଲ୍ଲାର ଏକ ବିବୃତ୍ତି ଅନୁଯାୟୀ, ଇସ୍ରାଏଲର ପ୍ରମୁଖ ସାମରିକ ସ୍ଥଳଗୁଡ଼ିକୁ ଟାର୍ଗେଟ କରି ୩୨୦ରୁ ଅଧିକ କାତୟୁଶା ରକେଟ୍ ମାଡ଼ କରାଯାଇଛି ଏବଂ ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନ୍ୟ ପକ୍ଷରେ ଏହି ଆକ୍ରମଣର ଜବାବରେ ଇସ୍ରାଏଲ ସେନା ଲେବାନନ୍ର ଟାର୍ଗେଟ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇସ୍ରାଏଲ ବାୟୁସେନାର ୧୦୦ଟି ଲଢୁଆ ବିମାନ ଲେବାନନ୍ର ୨ ହଜାରରୁ ଅଧିକ ଟାର୍ଗେଟ୍ ଉପରେ ଆକ୍ରମଣ କରିଛି। ହିଜବୁଲ୍ଲାର ପ୍ରମୁଖ ଶିବିର ଉପରେ ୪୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏହି ଆକ୍ରମଣରେ ହିଜବୁଲ୍ଲାର ଅନେକ ପ୍ରମୁଖ ଆଡ଼ା, କମାଣ୍ଡ ସେଣ୍ଟର ଆଦି ଧ୍ବସ୍ତ ହୋଇଥିବା ବେଳେ ୨ ଜଣ କମାଣ୍ଡରଙ୍କ ସମେତ ୩ ଜଣ ନିହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।