ମୁମ୍ବାଇରେ ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ୧୫ ବର୍ଷ ପୂରିଛି। ଏହି ଆକ୍ରମଣର ମୁଖ୍ୟ ସଂଚାଳକମାନେ ୧୫ ବର୍ଷ ପରେ ବି ପାକିସ୍ତାନରେ ଖୋଲା ବୁଲୁଛନ୍ତି ଏବଂ ଚୀନ୍ ସେମାନଙ୍କୁ ସମର୍ଥନ କରୁଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) ପାକିସ୍ତାନରେ ତା’ର ସ୍ଥିତିକୁ ସୁଦୃଢ଼ କରିଥିବା ବେଳେ ଦେଶର ସର୍ବକାଳୀନ ବନ୍ଧୁ ଚୀନ୍ ଜାତିସଂଘ କଟକଣାରୁ ସେମାନଙ୍କୁ ରକ୍ଷା କରୁଛି। ବୈଶ୍ବିକ ଆତଙ୍କବାଦୀଙ୍କ ପ୍ରତି ଚୀନ୍ ଓ ପାକିସ୍ତାନର ଅହେତୁକ ଦରଦ ଏବେ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି।
୨୬/୧୧ର ମୁଖ୍ୟ ଷଡ଼୍ଯନ୍ତ୍ରକାରୀ ଲସ୍କର-ଏ-ତୋଇବାର ଆମିର ହାଫିଜ ସୟିଦ, ତା’ ଭିଣୋଇ ଅବଦୁଲ ରେହମାନ ମକ୍କି, ଅପରେସନାଲ ପ୍ଲାନର ଜାକି ଉର ରେହମାନ ଲଖଭି ଏବଂ ଅର୍ଥ ଯୋଗାଣକାରୀ ଆରିଫ୍ କାସ୍ମାନି ଜାତିସଂଘର ବୈଶ୍ବିକ ଆତଙ୍କବାଦୀ ତାଲିକାରେ ଥିବା ବେଳେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ଘଟାଇଥିବା ୧୦ ଜଣ ଆତଙ୍କବାଦୀଙ୍କ ମୁଖ୍ୟ ପରିଚାଳକ ସାଜିଦ୍ ମୀରକୁ ଚୀନର ଭିଟୋ ଯୋଗୁଁ ଏହି ତାଲିକାରେ ରଖାଯାଇ ପାରିନାହିଁ।
ପାକିସ୍ତାନରେ ଆତଙ୍କବାଦୀ ଓ ଆତଙ୍କବାଦୀ ସଂଗଠନକୁ ଚୀନର ସମର୍ଥନ କେବଳ ଲସ୍କର-ଏ-ତୋଇବାରେ ସୀମିତ ନୁହେଁ। ଜାତିସଂଘର ‘୧୨୬୭ କମିଟି’ରେ ଜୈସ୍-ଏ-ମହମ୍ମଦର ମାସୁଦ ଆଝାର ଅଲଭିକୁ ତାଲିକାଭୁକ୍ତ କରିବା ପାଇଁ ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଓ ଭାରତକୁ ତିନିବର୍ଷରୁ ଅଧିକ ସମୟ ଲାଗିଥିଲା। ୨୦୧୬ ଫେବ୍ରୁଆରିରେ ଏହି ପ୍ରସ୍ତାବ ଆଗତ କରାଯାଇଥିଲା ଏବଂ ଶେଷରେ ୨୦୧୯ ମେ ୧ରେ ତା’ ଗୋଷ୍ଠୀ ପୁଲୱାମା ଆକ୍ରମଣରେ ସିଆରପିଏଫ ଯବାନଙ୍କୁ ହତ୍ୟା କରିବା ପରେ ତାକୁ ତାଲିକାଭୁକ୍ତ କରାଯାଇଥିଲା।