ପାଣିକୋଇଲି: ଅଳଙ୍କାର ଦୋକାନୀ କର୍ମଚାରୀଙ୍କୁ ଲୁଟ୍ ପାଇଁ ପିଛା କରୁଥିଲେ। ତେବେ ରାସ୍ତାରେ ଲୁଟେରାଙ୍କ ବାଇକ୍କୁ ଧକ୍କା ଦେଲା ଅନ୍ୟ ଏକ କାର୍। ଏଥିରେ ଉତ୍କ୍ଷିତ ହୋଇ ଅଫିସ୍ ଆଗରେ ଛିଡ଼ା ହୋଇଥିବା ବିଦ୍ୟୁତ କର୍ମଚାରୀଙ୍କୁ ଗୁଳି କଲେ ଲୁଟେରା। ପରେ ସୁନା ଦୋକାନୀଙ୍କୁ ଫାୟାରିଂ କରିଥିଲେ। ଆଜି ଅପରାହ୍ନରେ ଏପରି ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଛକ୍ରେ ଘଟିଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ପାଣିକୋଇଲି ଛକରେ ଥିବା ଏକ ଅଳଙ୍କାର ଦୋକାନର ଦୁଇ କର୍ମଚାରୀ ସୁନୀଲ୍ ରାୟ ତାଙ୍କ ସାଥୀ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ କାର୍ରେ ଯାଉଥିଲେ। ଏ ସମ୍ପର୍କରେ ଜାଣିପାରି ୩ ଜଣ ଦୁର୍ବୃତ୍ତ ସେମାନଙ୍କ କାର୍କୁ ପିଛା କରୁଥିଲେ। ତେବେ ପାଣିକୋଇଲି ଛକଠାରୁ ଅଳ୍ପ ଦୂରରେ ବିଦ୍ୟୁତ ଅଫିସ୍ ପାଖରେ ଦୁର୍ବୃତ୍ତଙ୍କ ବାଇକ୍କୁ ଅନ୍ୟ ଏକ କାର୍ ଧକ୍କା ଦେଇଥିଲା। ଅଫିସ୍ ଆଗରେ ଦୁର୍ଘଟଣା ଘଟିଥିବା ଦେଖି ବିଦ୍ୟୁତ୍ କର୍ମଚାରୀ ନୀଳମାଧବ ପଣ୍ଡା ଚିତ୍କାର କରିଥିଲେ।