ସମୁଦ୍ର କୂଳରେ ମରି ପଡିଛନ୍ତି ଜେଲିଫିସ। ହେଲେ କଣ ରହିଛି ଏହା ପଛରେ କାରଣ ତାହା ଅସ୍ପଷ୍ଟ। ପ୍ରାକୃତିକ ବିପତ୍ତିର ଏହା କିଛି ସଂକେତ ନୁହେଁ ତ ବୋଲି କହୁଛନ୍ତି ସ୍ଥାନୀୟ ଲୋକ। ଗୋପାଳପୁର ମୁଖ୍ୟ ବେଳାଭୂମି ଠାରୁ ହରିପୁର ମୁହାଣ ଆଡ଼କୁ ପ୍ରାୟ ୫ଶହ ମିଟର ଅଞ୍ଚଳରେ ଶହଶହ ସଂଖ୍ୟାରେ ମଲା ଜେଲିଫିସ୍ ପଡ଼ିଥିବା ଦେଖି ଆଜି ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।। ଜେଲିଫିସ୍ ସମୁଦ୍ରକୂଳକୁ ଆସିବାର ସେଭଳି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ। ଏହି ସମୟରେ ସେମାନଙ୍କ ବଂଶବୃଦ୍ଧି ହୋଇ ସଂଖ୍ୟା ବଢ଼ିଥାଏ। ଏଣୁ ସମୁଦ୍ର ଜୁଆରରେ ଦକ୍ଷିଣା ପବନ ଯୋଗୁଁ ଜେଲିଫିସ୍ ବେଳାଭୂମିକୁ ଚାଲିଆସିଥାନ୍ତି। ସେମାନଙ୍କ ଗତି ଧୀର ରହିଥିବା ଯୋଗୁ ସମୁଦ୍ରକୁ ଫେରି ପାରନ୍ତି ନାହିଁ, ତେଣୁ କୂଳରେ ମରିଯାଆନ୍ତି। ପ୍ରତିବର୍ଷ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ ବୋଲି କିଛି ବିଶେଷଜ୍ଞଙ୍କର ମତାମତ ରହିଛି। ତେବେ ଏହା ପ୍ରାକୃତିକ ଉପାୟରେ ହିଁ ପ୍ରତିବର୍ଷ ଘଟିଥାଏ ବୋଲି କୁହାଯାଉଛି।