ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ଭୋଟ୍ ଦେବାକୁ ଅନେକ ନାମିଦାମୀ ଚେହେରା ମତଦାନ କେନ୍ଦ୍ରରେ ପହଂଚୁଛନ୍ତି। ତେବେ ତାଙ୍କ ଭିତରୁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଆଇଟି ଇଣ୍ଡଷ୍ଟ୍ରିର ବରିଷ୍ଠ ବ୍ୟକ୍ତିତ୍ବ ତଥା ଇନ୍ଫୋସିସ୍ର ପ୍ରତିଷ୍ଠାତା ଏନ ଆର ନାରାୟଣ ମୂର୍ତ୍ତି ଓ ତାଙ୍କ ସହିତ ତାଙ୍କ ପତ୍ନୀ ସୁଧା ମୂର୍ତ୍ତି ମଧ୍ୟ ମତଦେବାକୁ ପହଞ୍ଚିଥିଲେ। ନାରୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ଗଣମାଧ୍ୟମରେ କହିଛନ୍ତି ଯେ ୭୭ ବର୍ଷୀୟ ଇନ୍ଫୋସିସ୍ ପ୍ରତିଷ୍ଠାତା ତାଙ୍କର ଦେହ ଖରାପ ସତ୍ତ୍ବେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଆସିଛନ୍ତି। ସେ ହସ୍ପିଟାଲ୍ରେ ଭର୍ତ୍ତି ଥିଲେ। ନିକଟରେ ତାଙ୍କ ଡିସ୍ଚାର୍ଜ କରାଯାଇଛି ଓ ସେ ଭୋଟ୍ ଦେବା ପରେ ତାଙ୍କୁ ଘରକୁ ନିଆଯିବ ବୋଲି ସୁଧା ମୂର୍ତ୍ତି କହିଛନ୍ତି। ଅର୍ଥାତ ଭୋଟ ଆମ ପାଇଁ ବହୁତ ହିଁ ଜରୁରୀ।ନାରାୟଣ ମୂର୍ତ୍ତି ମଧ୍ୟ କହିଛନ୍ତି , ‘‘ଆମେ ପ୍ରତି ପାଞ୍ଚ ବର୍ଷରେ ଥରେ ଭୋଟ୍ ଦେବାର ଅଧିକାର ପାଇଥାଉ। ଆମକୁ ଏହି ଅଧିକାରକୁ ଦାୟିତ୍ବବୋଧ ଭାବେ ବ୍ୟବହାର କରିବାକୁ ପଡ଼ିବ। ଏହି ସୁଯୋଗକୁ କେହି ହାତଛଡ଼ା କରନ୍ତୁ ନାହିଁ।”