ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲ୍ ଯାଇଛନ୍ତି। ସେ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଇଡି ଅଭିଯୋଗ କରିବା ସହିତ ତାଙ୍କୁ ଆଉ ଇଡି ହାଜତରେ ରଖାଯିବ ନାହିଁ ବୋଲି କହିଥିଲା। ଏହାପରେ କୋର୍ଟ କେଜ୍ରିୱାଲଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ଜେଲ ଯିବାରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ। ତିହାର ଜେଲ୍ରେ ଏବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ସାଂସଦ ସଂଜୟ ସିଂହ ମଧ୍ୟ ଅଛନ୍ତି। ଅନ୍ୟପକ୍ଷରେ ଗିରଫ ବିରୋଧରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ହାଇକୋର୍ଟ ଇଡି ଠାରୁ ଏପ୍ରିଲ ୨ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ଏପ୍ରିଲ ୩ ତାରିଖରେ ଏହି ମାମଲାର ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫକୁ କେଜ୍ରିୱାଲ ଏକ ରାଜନୈତିକ ଷଡ଼୍ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ଅଦାଲତରେ କେଜ୍ରିୱାଲଙ୍କୁ ଅସୁସ୍ଥତା କାରଣରୁ ଜେଲରେ କିଛି ଔଷଧ ଓ ସ୍ବତନ୍ତ୍ର ଖାଦ୍ୟ ପ୍ରଦାନ କରିବାକୁ ତାଙ୍କ ଆଇନଜୀବୀ ଦାବି କରିଥିଲେ। ଏଥିସହିତ ତାଙ୍କୁ ଭଗବଦ ଗୀତା, ରାମାୟଣ ଏବଂ ନୀରଜ ଚୌଧୁରୀଙ୍କ ଦ୍ବାରା ଲିଖିତ ପୁସ୍ତକ ହାଓ ପ୍ରାଇମ ମିନିଷ୍ଟର୍ସ ଡିସାଇଡ ପୁସ୍ତକ ଯୋଗାଇ ଦେବାକୁ କହିଥିଲେ।