ଖଲିସ୍ତାନୀ-ସମର୍ଥିତ ଓ ଭାରତ-ବିରୋଧୀ ସ୍ଲୋଗାନ୍ ଲେଖାଯାଇ ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ନେୱାର୍କ ନଗରୀରେ ଥିବା ଏକ ହିନ୍ଦୁ ମନ୍ଦିର ପ୍ରାଚୀରକୁ ବିରୂପ କରାଯାଇଥିବା କଥା ‘ହିନ୍ଦୁ-ଆମେରିକାନ୍ ଫାଉଣ୍ଡେସନ୍’ ଅଭିଯୋଗ କରିଛି।ନେୱାର୍କସ୍ଥିତ ‘ସ୍ବାମୀନାରାୟଣ ମନ୍ଦିର ବାସନା ସଂସ୍ଥା’ର ପ୍ରାଚୀରକୁ ବିରୂପ କରାଯାଇଥିବା ଫଟୋ ମଧ୍ୟ ସେମାନେ ‘ଏକ୍ସ୍’ରେ ପୋଷ୍ଟ୍ କରିଛନ୍ତି। ଏଥିରେ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କେତେଗୁଡ଼ିଏ ‘ସ୍ଲୋଗାନ୍’ ଲେଖାଯାଇଛି। ହିନ୍ଦୁ ସଙ୍ଗଠନ କହିଛି ଯେ, ମନ୍ଦିର ଦର୍ଶନାର୍ଥେ ଆସୁଥିବା ଲୋକମାନଙ୍କ ମନରେ କଷ୍ଟ ଦେବା ଓ ହିଂସା ଭୟ ସୃଷ୍ଟି କରିବା ଲାଗି ଏଭଳି ଘୃଣ୍ୟ ‘ସ୍ଲୋଗାନ୍’ ଲେଖାଯାଇଥିବା ପରି ମନେ ହେଉଛି।ଏ ଘଟଣା ସଂକ୍ରାନ୍ତରେ ‘ନେୱାର୍କ ପୋଲିସ୍ ଡିପାର୍ଟମେଣ୍ଟ୍’ ଓ ‘ଡିପାର୍ଟମେଣ୍ଟ୍ ଜଷ୍ଟିସ୍ ସିଭିଲ୍ ରାଇଟସ୍ ଡିଭିଜନ୍’ରେ ମାମଲା ରୁଜୁ କରାଯାଇଛି। ନେୱର୍କ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।