ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ । ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।।
ନମସ୍ତେ କମଳା ମାଗୋ ଅତି ଦୟାବତୀ । ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।।
ତୋର ଦୟାବଳେ ମାଗୋ ଦରିଦ୍ର ଜନର । ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।
ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ । ଯେତେ ଅରଜିଲେ କେଭେଁ ପେଟ ନ ପୁରଇ ।।
ଆଜି ମାଣବସା ଶେଷ ଗୁରୁବାର । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ତେବେ ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ” ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।ମାଣବସା ଗୁରୁବାର ଦିନ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଲକ୍ଷ୍ମୀ ପୁରାଣ ପାଠ କରିବାର ବିଧି ରହିଛି । ଆଜି ହେଉଛି ମାଣବସା ଗୁରୁବାରର ଶେଷ ପାଳି । ଏଥି ପାଇଁ ଗାଁଠୁ ସହର ଚାରିଆଡେ ଉତ୍ସବମୁଖର ପରିବେଶ । ସଧବା ନାରୀ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି ।ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ ।