ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଭଦ୍ରା ପ୍ରଥମ କିସ୍ତି ଆବେଦନର ଡେଡଲାଇନ୍ ହେଉଛି ୨୦୨୫ ମାର୍ଚ୍ଚ ୭ ତାରିଖ । ମାର୍ଚ୍ଚ ୭ ତାରିଖ ଯାଏଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ଆସନ୍ତା ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିରେ ଶେଷ ପର୍ୟ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ । ଆଉ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହେଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହେଇସାରିଛି , ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ ବୋଲି ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ ମହିଳା ଦିବସରେ ୨ୟ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବ । ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏଯାଏଁ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଲାଣି । ୧ କୋଟି ୪୬ ଲକ୍ଷ ଏଯାବତ ପଞ୍ଜିକରଣ କରି ସାରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିତାଧିକାରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପଞ୍ଜିକରଣ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କଗୁଡିକରେ ଭିଡ଼ କରନ୍ତୁ ନାହିଁ। ବ୍ୟସ୍ତ ନହୋଇ ପଞ୍ଜିକରଣ କରିବାକୁ ଅନୁରୋଧ ।