ନିକଟ ଭବିଷ୍ୟତରେ ଋଣ ନେବାକୁ ଯୋଜନା କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅକ୍ଟୋବର ପହିଲାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଋଣ ନିୟମରେ କିଛି ପରିବର୍ତ୍ତନ କରିବ। ଏହାପରେ ନୂତନ ନିୟମ ଅନୁଯାୟୀ ଋଣ ପ୍ରଦାନ କରାଯିବା ନେଇ ଆର୍ବିଆଇ ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ଏହି ନିୟମ କେବଳ ବ୍ୟାଙ୍କ ଏବଂ ଏନ୍ବିଏଫ୍ସି ଉପରେ ଲାଗୁ ହେବ। ଅକ୍ଟୋବର ପହିଲାରୁ ରିଟେଲ ଏବଂ ଏମ୍ଏସ୍ଏମ୍ଇ ଋଣ ନିୟମରେ ପରିବର୍ତ୍ତନ ହେବ। ଏହି ନିୟମ ଲାଗୁ ହେବା ପରେ ଋଣ ନେଉଥିବା ବ୍ୟକ୍ତିକୁ ସୁଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହ ଋଣ ଚୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା (କେଏଫ୍ଏସ୍) ଦେବାକୁ ପଡ଼ିବ।
ଆର୍ବିଆଇ ଅନ୍ତର୍ଗତ ସମସ୍ତ ଆର୍ଥିକ ସଂସ୍ଥାଗୁଡ଼ିକର ଉତ୍ପାଦକୁ ନେଇ ପାରଦର୍ଶିତା ବଜାୟ ରଖିବା ସହ ଗ୍ରାହକଙ୍କୁ ଋଣ ପ୍ରଦାନ କରାଯିବା ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।