ଭୁବନେଶ୍ୱର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ । ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ କେନ୍ଦ୍ରୀଭୂତ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠୁ ଲାଗି ରହିଛି ବର୍ଷା। ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରଆ, ଆଜି କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।ସେହିପରି ମୟୂରଭଞ୍ଜ,କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ବି ବର୍ଷା ସମ୍ଭାବନା ରହିଛି। ଅନ୍ୟ ସ୍ଥାନରେ ପାଗ ମେଘୁଆ ରହିବା ସହ କୋହଲା ପବନ ଲାଗି ରହିବ।
ଟୁଇନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ସକାଳ ପ୍ରାୟ ୯ଟାରୁ ଅବିରତ ଚାଲିଛି ବର୍ଷା ଜାରି ରହିଛି । ଆଜି ସକାଳେ ବି ମଧ୍ୟମ ଧରଣର ବର୍ଷା ଚାଲିଛି। ଶନିବାର ସକାଳେ ବର୍ଷା ହେଉଥିବାରୁ ବସ୍ ସମେତ ଅନ୍ୟ ଯାନବାହନ ଚଳାଚଳ କମ୍ ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ ଆଜି ଗତକାଲି ତୁଳନାରେ କମ୍ ବର୍ଷା ହେବ ଏବଂ ରବିବାର ପାଗରେ ପରିବର୍ତ୍ତନ ଆସିବ।
ତେବେ ଅନ୍ୟପଟେ ପାଚିଲା ଧାନକୁ ଦାଉ ସାଧୁଛି ଏହି ଲଘୁଚାପ ବର୍ଷା । ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ। କେଉଁଠି ପାଚିଲା ଧାନ କଟା ହୋଇ ବିଲରେ ପଡିଛି ତ ଆଉ କେଉଁଠି ଖଳାରେ ଭିଜୁଛି । ବର୍ଷାରେ ବିଲରେ ପାଣି ଜମି ରହିଛି । ଦୁଇ ଦିନ ହେଲା ବର୍ଷା ଜାରି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ଚାଷୀଙ୍କ ଆଖିରେ ଲୁହ ଭରିଛି । ପନିପରିବା ଫସଲ ପାଇଁ ମଧ୍ୟ ବର୍ଷା ବିପଦ ସୃଷ୍ଟି କରିଛି ଅଦିନିଆ ବର୍ଷା ।