ଆସୁଛି ବଡ଼ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ । ଏହା ପରବର୍ତ୍ତୀ ସମୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଆସନ୍ତା ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ଗଞ୍ଜାମ, ଗଜପତି, କାଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗତକାଲି ମୌସୁମୀ ଟ୍ରଫ୍ର ପୂର୍ବ ଭାଗ ଅର୍ଥାତ୍ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଝାଡ଼ଖଣ୍ଡ ଉପରେ ରହିଛି। ମଙ୍ଗଳବାର ତାହା ମୌସୁମୀ ଟ୍ରଫ୍ ସହ ବିଲୀନ ହେବ। ଏପର୍ଯ୍ୟନ୍ତ କୌଣସି ଲଘୁଚାପ ସୃଷ୍ଟି ହୋଇ ନାହିଁ। ତେବେ ମୌସୁମୀ ସକ୍ରିୟ ରହିଥିବାରୁ ୨୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷାର ପ୍ରଭାବ ରହିବ। ପୂର୍ବ ଆକଳନ ଅନୁଯାୟୀ ୨୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଏବଂ ୨୯ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ।