ପୂର୍ବତନ ଭାରତୀୟ ଫୁଟବଲ ପ୍ରଶିକ୍ଷକ ସୟଦ ଅବଦୁଲ ରହୀମଙ୍କ ଜୀବନୀ କାହାଣୀ ଉପରେ ଆଧାରିତ ସିନେମା ‘ମଇଦାନ’ ଏବେ ବିବାଦରେ। ଅଜୟ ଦେବଗନଙ୍କ ଅଭିନୀତ ଏହି ସିନେମା ଉପରେ ଚୋରି ଅଭିଯୋଗ ଲାଗିଛି। ଚୋରି ଅଭିଯୋଗ ଆସିବା ପରେ ମୌସୁର କୋର୍ଟ ଏହି ସିନେମାର ରିଲିଜ୍ ଉପରେ ରହିତାଦେଶ ଜାରି କରିଛନ୍ତି। କର୍ଣ୍ଣାଟକର କାହାଣୀକାର ଅନିଲ କୁମାର ତାଙ୍କ ସ୍କ୍ରିପ୍ଟ ଚୋରି କରିଥିବା ଅଭିଯୋଗ ହେବା ପରେ ମୌସର କୋର୍ଟ ଏହି ଚଳଚ୍ଚିତ୍ର ନିର୍ମାତାଙ୍କୁ ଏହାର ରିଲିଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତର ସଫଳତମ ତଥା ମର୍ଯ୍ୟାଦାବନ୍ତ ଫୁଟ୍ବଲ୍ ପ୍ରଶିକ୍ଷକ ସୟଦ ଅବଦୁଲ ରହିମ୍ଙ୍କ ଜୀବନଯାତ୍ରା ଉପରେ ଆଧାରିତ ଏହି ସିନେମାରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ବଲିଉଡ୍ ତାରକା ଅଜୟ ଦେବଗନ। ସାଥିରେ ଅଛନ୍ତି ପ୍ରିୟାମଣି ଓ ଗଜରାଜ ରାଓ। ବୁଧବାର ପରଦାକୁ ଆସିବା ପରେ ଏପ୍ରିଲ୍ ୧୧ ତାରିଖରେ ଇଦ୍ ଅବସରରେ ଏହା ଓଟିଟି ପ୍ଲାଟଫର୍ମରେ ବିଶ୍ବବ୍ୟାପୀ ମୁକ୍ତି ଲାଭ କରିବ ବୋଲି ସୂଚନା ଥିଲା। ହାଇଦ୍ରାବାଦରେ ବୃତ୍ତିରେ ଶିକ୍ଷକତା କରିଥିବା ସୟଦ ଅବଦୁଲ ରହିମ୍ଙ୍କୁ ସଭିଏଁ ରହିମ୍ ସାବ୍ ଭାବେ ଡାକୁଥିଲେ। ହାଇଦ୍ରାବାଦରେ ଫୁଟ୍ବଲ୍ର ପ୍ରସାର କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ପରବର୍ତୀ ଜୀବନରେ ବହୁ ଭାରତୀୟ ପ୍ରଶିକ୍ଷକ ଓ ରେଫରିଙ୍କୁ ତାଲିମ ଦେଇଥିଲେ। ଆଧୁନିକ ଭାରତର ଫୁଟ୍ବଲ୍ ବିକାଶରେ ସେ ଅସଲ ନିର୍ମାତା ଥିଲେ କିନ୍ତୁ ମାତ୍ର ୫୩ ବର୍ଷ ବୟସରେ ପ୍ରାଣ ହରାଇ ଅଧିକ ଅବଦାନ ଦେଇପାରି ନଥିଲେ।