ଫ୍ରେଜର ହଷ୍ଟେଲ ଛକ ଠାରେ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ବାରିପଦା ଶାଖାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ତେବେ ବଡ଼ ଧରଣର ଅଘଟଣରୁ ସମସ୍ତ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ବ୍ୟାଙ୍କରେ ଦିନ ପ୍ରାୟ ୧ଟା ସମୟରେ କୌଣସି କାରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶିଖା ଯୋଗୁଁ ଅନେକ ଧୂଆଁ ବାହାରକୁ ବାହାରିଥିଲା। ଅଗ୍ନିକାଣ୍ଡ ଘଟିବା କ୍ଷଣି ବ୍ୟାଙ୍କ କର୍ମଚାରୀ ମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ଅଗ୍ନି ଶିଖାକୁ ଆୟତ୍ତ କରିଥିବା ବେଳେ ବଡ଼ ଧରଣର ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଛନ୍ତି।