ଗଣଶିକ୍ଷା ସଚିବ କିମ୍ବା ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଆଶ୍ବାସନା କାମ ଦେଲାନି। ବାରମ୍ବାର ପ୍ରତିଶ୍ରୁତି ଦେଇ ଠକୁଥିବାରୁ ଶିକ୍ଷକ ସଂଘର ନେତାମାନେ ଆଉଏମାନଙ୍କୁ ବିଶ୍ବାସକୁ ନେଇ ନାହାନ୍ତି। ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସିଧା ସିଧା କହିଛନ୍ତି ଯେ ଦାବିଗୁଡ଼ିକ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଏବଂ ପ୍ରତିଶ୍ରୁତି ଦିଅନ୍ତୁ। ନ ହେଲେ ବୁଧବାରଠାରୁ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯିବେ। ସ୍କୁଲ ଆସିବେ ନାହିଁ କି ତାଲା ଖୋଲିବେ ନାହିଁ। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ। ପିଲାମାନଙ୍କ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ।
ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ର କ୍ୟାରିଅର ଅଡଭାନ୍ସମେଣ୍ଟ ପଲିସି ଲାଗୁ, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡର ହଟାଇବା ପରି ଦାବି ନେଇ ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର ପାଇଁ ରାଜ୍ୟ ସରକାର ଯଥାସମ୍ଭବ ଚେଷ୍ଟା କରିଥିଲେ। ଗଣଶିକ୍ଷା ମନ୍ତ୍ରୀଙ୍କୁ ପଛକୁ ଠେଲି ଦେଇ ନିଜେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କାର୍ପଟଦାର ସାଜି ଆନ୍ଦୋଳନ ଫୁସ୍କାଇଦେବେ ବୋଲି ସାମ୍ନାକୁ ଆସିଥିଲେ। କଳବଳ କୌଶଳ ଲଗାଇ ଶିକ୍ଷକଙ୍କୁ ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି କୌଣସି ସୁଯୋଗ ହାତ ଛଡ଼ା କଲେନି। ହେଲେ ଆଜି ରାତି ସୁଦ୍ଧା ସଫଳ ହୋଇ ନାହାନ୍ତି। ବରଂ ଶିକ୍ଷକମାନେ ନିଜ ଜିଦ୍ରେ ଅଟଳ ରହିବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେପଟେ ଯଦି ବୁଧବାର ରାଜ୍ୟର ଲକ୍ଷାଧିକ ଶିକ୍ଷକ ସମୂହ ଛୁଟିରେ ଯାଆନ୍ତି ତେବେ ପ୍ରାୟ ୫୦ ହଜାର ବିଦ୍ୟାଳୟରେ ପାଠପଢ଼ା ଠପ୍ ହୋଇଯିବ। ପିଲାମାନଙ୍କ କ୍ଲାସ ହେବ ନାହିଁ। ସେମାନେ ପାଠ ଠାରୁ ଦୂରେଇ ଯିବାର ଆଶଙ୍କା ପ୍ରକାଶ ପାଇଛି। କେବଳ ଯେ ସେମାନଙ୍କ ପାଠପଢ଼ା ପ୍ରଭାବିତ ହେବ ତାହା ନୁହେଁ, ହଜାର ହଜାର ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ପାଇବାରୁ ବଞ୍ଚିତ ହେବେ। ବର୍ଷା ଦିନ ଜାରି ରହିଥିବାରୁ ଶିକ୍ଷକମାନେ ଏତେ ଦିନ ଛୁଟିରେ ରହିବା ଦ୍ବାରା ମଧ୍ୟାହ୍ନଭୋଜନ ସାମଗ୍ରୀଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ।