ସରଗରମ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ହୁଲୁସ୍ତୁଲ ହେଉଛି ଗୃହ । ଆଜି ବି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ । ଗତକାଲି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଗିରଫ କରିବାକୁ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ବିରୋଧୀ ଦଳ ନେତା ଗୃହର ନିୟମ ଭଙ୍ଗ କରିଥିବା କହିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେପଟେ ଏହାର ଜାବାବ ଦେଇ ମହାଲିଙ୍ଗଙ୍କ ଦାବିକୁ ହାସ୍ୟାସ୍ପଦ କହିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ପୂର୍ବରୁ ଏଭଳି ଦାବି କରାଯିବାର କୌଣସି ନଜିର ନାହିଁ ବୋଲି କହିଥିଲେ ବିଧାୟକ ଅରୁଣ ସାହୁ ।ଅନ୍ୟପଟେ ଓଡ଼ିଶାରେ ଶାସନ କରୁଥିଲେ ଫାଇଭ୍ ଟାଉଟର୍ । ଫାଇଭ-ଟାଉଟର ଚୌକିରେ ବସୁଥିଲେ। ବିଜେଡି ବିଧାୟକ, ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିଲେ। ସେତେବେଳେ କୁଆଡ଼େ ଯାଇଥିଲା ଆପଣ ମାନଙ୍କ ଓଡ଼ିଆ ଅସ୍ମିତା ? ବିଧାନସଭାରେ କିଛି ଏଭଳି ପ୍ରଶ୍ନ ଉଠାଇ ବିରୋଧୀ ବିଜେଡିକୁ ବର୍ଷିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିରୋଧୀ ଦଳ ପାଖରେ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ କରିବାର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଥିଲେ।