ଅଣ୍ଟା ଭିଡିଲାଣୀ ମୋଦିଙ୍କ ଦଳ। ସେମାନେ ବୋଧହୁଏ ଜାଣିଛନ୍ତି ଏଥର ପୁଣିଥରେ ସରକାର ଗଢିବାକୁ ଯାଉଛି ପଦ୍ମ। ସେଥିପାଇଁ ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ୭ ବୈଠକ କରିବେ ଯାହା ବିଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିବ। ବୈଠକରେ ଉତ୍ତାପ ଲହର ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଘୂର୍ଣ୍ଣିବଳୟ ପରେ ସେ ସ୍ଥିତିର ସମୀକ୍ଷା କରିବେ। ଖବର ଅନୁଯାୟୀ, ସରକାରର ଐତିହାସିକ ତୃତୀୟ କାର୍ଯ୍ୟକାଳରେ କଠୋର ନିଷ୍ପତ୍ତି ନିଆଯିବ ବୋଲି ମୋଦୀ କହିଛନ୍ତି। ଶନିବାର ଦିନ ପ୍ରକାଶ ପାଇଥିବା ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ୩୫୦ରୁ ଅଧିକ ସିଟ୍ ପାଇବାକୁ ପୂର୍ବାନୁମାନ କରିଛନ୍ତି। ତିନୋଟି ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ଯେ ଏନଡିଏ ୪୦୦ ସିଟ୍ ମାର୍କ ଅତିକ୍ରମ କରିବ।