ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ବିଦେଶ ଗସ୍ତରୁ ଫେରି ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକଙ୍କୁ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଭେଟିଥିଲେ। ଚନ୍ଦ୍ରୟାନ-୩ର ସଫଳତା ଲାଗି ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡେଇ ଥିଲେ ପ୍ରଧାନମନ୍ତ୍ରୀ ମୋଦି। ବୈଜ୍ଞାନିକଙ୍କୁ ଭେଟିବା ଅବସରରେ ପ୍ରଧାନମନ୍ତ୍ରୀ ଭାବବିହ୍ୱଳ ହୋଇଯାଇଥିଲେ। ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ‘ଆପଣଙ୍କ ଗହଣରେ ଆସି ଏକ ଭିନ୍ନ ଖୁସି ଅନୁଭବ କରୁଛି। ବିଦେଶରେ ଥିଲେ ବି ମନ ଆପଣଙ୍କ ନିକଟରେ ଥିଲା। ସବୁ ବୈଜ୍ଞାନିକମାନଙ୍କୁ ମୋର ସାଲ୍ୟୁଟ୍। ଚନ୍ଦ୍ର ଅଭିଯାନ କୌଣସି ସାଧାରଣ ସଫଳତା ନୁହେଁ। ଆମେ ସେଠି ପହଞ୍ଚିଲୁ, ଯେଉଁଠି କେହି ପହଞ୍ଚି ନଥିଲେ। ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ, ଲଢୁଆ ଭାରତ। ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ।’ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଅନ୍ଧାରୀ ମୂଲକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ.ଏବେ ଚନ୍ଦ୍ରରେ ଭାରତ’। ଚନ୍ଦ୍ରପୃଷ୍ଠରେ ଯେଉଁଠି ଚନ୍ଦ୍ରୟାନ-୩ ଅବତରଣ କରିଛି ସେହି ସ୍ଥାନର ନାଁ ପ୍ରଧାନମନ୍ତ୍ରୀ ମୋଦି ‘ଶିବଶକ୍ତି’ ଦେଇଛନ୍ତି।ଏହି ଅବସରରେ ସେ ଘୋଷଣା କରିଛନ୍ତି ଯେ, ୨୩ ଅଗଷ୍ଟରେ ଏଣିକି ଭାରତରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ। ଇସ୍ରୋ ଚନ୍ଦ୍ରରେ ସଫଳତାର ସହିତ ଚନ୍ଦ୍ରଯାନ-୩ ଅବତରଣ କରି ଦେଶର ପିଲାଠାରୁ ବୟସ୍କ ବ୍ୟକ୍ତି ମାନେ ଏବେ ଦେଶର ବୈଜ୍ଞାନିକଙ୍କୁ ପ୍ରେରଣା ସାଜିଛି। ବୈଜ୍ଞାନିକମାନେ ଏହି ସଫଳତ ସହିତ ଦେଶର ଯୁବପିଢ଼ିକୁ ଜାଗ୍ରତ କରି ସମଗ୍ର ଭାରତର ପିଢ଼ିକୁ ଶକ୍ତି ପ୍ରଦାନ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।