ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତି ଭବନରେ ୫ଟି ଅର୍ଦ୍ଧସାମରିକ ୟୁନିଟ୍, ଏନଏସଜି କମାଣ୍ଡୋ, ଡ୍ରୋନ୍ ଓ ସ୍ନାଇପର ମୁତୟନ ସମେତ ଏକ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଦିଲ୍ଲୀ ପୁଲିସ ଅଧିକାରୀମାନେ କହିଛନ୍ତି। ରବିବାର ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି ସମାରୋହରେ ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଙ୍ଗଠନ) ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଗତବର୍ଷ ଜି-୨୦ ଶିଖର ସମ୍ମିଳନୀ ପାଇଁ ଯେଭଳି ସୁରକ୍ଷା ଲାଗୁ ହୋଇଥିଲା, ଏଥର ମଧ୍ୟ ସେଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶପଥ ଗ୍ରହଣ ସମାରୋହରେ ଯୋଗ ଦେଉଥିବା ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ନିର୍ଦ୍ଦିଷ୍ଟ ମାର୍ଗ ଯୋଗାଇ ଦିଆଯିବ। ହୋଟେଲରୁ ସଭାସ୍ଥଳକୁ ଓ ଫେରିବା ପାଇଁ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଅତିଥିମାନଙ୍କ ମାର୍ଗରେ ସ୍ନାଇପର ଓ ସଶସ୍ତ୍ର ପୁଲିସ ମୁତୟନ କରାଯିବା ସହ ରାଜଧାନୀରେ ରଣନୈତିକ ଭାବେ ଡ୍ରୋନ୍ ମୁତୟନ ହେବ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ସମାରୋହରେ ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ଭୁଟାନ, ନେପାଳ, ମରିସସ୍ ଏବଂ ସିସିଲ୍ସର ଶୀର୍ଷ ନେତାମାନେ ଯୋଗ ଦେଉଥିବାରୁ ଲୀଲା, ତାଜ, ଆଇଟିସି ମୌର୍ଯ୍ୟ, କ୍ଲାରିଜ୍ ଓ ଓବରୟ ଭଳି ହୋଟେଲଗୁଡ଼ିକ ସୁରକ୍ଷା ବଳୟ ମଧ୍ୟରେ ରହିଛି। ରାଷ୍ଟ୍ରପତି ଭବନ, ଯେଉଁଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ସେଠାରେ ଉଭୟ ପରିସର ଭିତରେ ଏବଂ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ଦିଲ୍ଲୀ ପୋଲିସର ସ୍ୱାଟ୍ (ସ୍ପେଶାଲ ୱେପନ୍ସ ଆଣ୍ଡ୍ ଟେକ୍ଟିକ୍ସ) ଏବଂ ଏନଏସଜି କମାଣ୍ଡୋଙ୍କୁ ରାଷ୍ଟ୍ରପତିଙ୍କ ବାସଭବନ ଚାରିପଟେ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୁତୟନ କରାଯିବ।
ଆଜି ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ : ଶପଥ ସମାରୋହ ପାଇଁ ଦିଲ୍ଲୀ ପ୍ରସ୍ତୁତ
Leave a comment