ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋରକୋ ଅନ୍ତର୍ଗତ ମାରକେସ୍ର ଦକ୍ଷିଣପଶ୍ଚିମକୁ ୭୧ କିଲୋମିଟର୍ ଦୂରବର୍ତ୍ତୀ ଭୂଗର୍ଭର ୧୮.୫ କିଲୋମିଟର୍ ଅଭ୍ୟନ୍ତରରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ୟୁଏସ୍ ଜିଓଲୋଜିକାଲ୍ ସର୍ଭେ’ ରିପୋର୍ଟ କରିଛି। ଏହ ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଅନ୍ୟୂନ ୨୯୬ଜଣ ଲୋକ ପ୍ରାଣ ହରାଇଥିବା କଥା ଆଜି ସକାଳେ ମୋରକୋର ଗୃହମନ୍ତ୍ରାଳୟ କହିଛି। ଏହାଛଡ଼ା, ଭୂମିକମ୍ପ ଯୋଗୁଁ ଆହତ ହୋଇଥିବା ୧୫୩ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି। ଅଧିକାଂଶ କ୍ଷୟକ୍ଷତି ସହର ଓ ନଗର ବାହାରେ ହୋଇଥିବା କଥା ମନ୍ତ୍ରାଳୟ ସୂଚନା ଦେଇଛି।କିନ୍ତୁ, କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ସରକାରୀ କର୍ତ୍ତୃପକ୍ଷମାନେ ଏପର୍ଯ୍ୟନ୍ତ ଆକଳନ କରିପାରି ନାହାନ୍ତି। ସଂଗୃହୀତ ସୂଚନା ଅନୁସାରେ, ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ବାର୍ଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ‘ଆଟ୍ଲାସ୍’ ପର୍ବତଶ୍ରେଣୀ ଅନ୍ତର୍ଗତ ୱୟୁକୈମେଦେନ୍ ସହରର ପଶ୍ଚିମ ପ୍ରାନ୍ତରେ ଉତ୍ପତ୍ତି ହୋଇଥିବା ଏହି ଭୂମିକମ୍ପଜନିତ କମ୍ପନ ଉପକୂଳବର୍ତ୍ତୀ ନଗରୀ ରବାଟ୍, କାସାବ୍ଲାଙ୍କା ଓ ଇସାଓୟୁରିଆରେ ଅନୁଭୂତ ହୋଇଥିଲା।
ଭୂମିକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଜନତା ପ୍ରତି ଶୋକବ୍ୟକ୍ତ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ୍’ କରି ଲେଖିଛନ୍ତି; ମୋରକୋରେ ଭୂମିକମ୍ପଜନିତ ପ୍ରାଣହାନୀ ଯୋଗୁଁ ଖୁବ୍ ବ୍ୟଥିତ। ଏଭଳି ଦୁଃଖଦ ସମୟରେ ମୋରକୋବାସୀଙ୍କୁ ସହାନୁଭୂତି ଜଣାଉଛି। ପ୍ରିୟଜନଙ୍କୁ ହରାଇଥିବା ଲୋକମାନଙ୍କ ପ୍ରତି ମୋର ସମବେଦନା। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ଦୁର୍ଦ୍ଦିନରେ ମୋରକୋକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ।