ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ପୁରୀରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବଡ଼ଦାଣ୍ଡରୁ ରୋଡ୍ ଶୋ’ ଆରମ୍ଭ କରିଛନ୍ତି। ଏହି ରୋଡ୍ ଶୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି ସମୟରେ ତାଙ୍କ ସହ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡ. ସମ୍ବିତ ପାତ୍ର ଉପସ୍ଥିତ ରହିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ପୁରୀରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ସେ ପୁରୀ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ତାଙ୍କର ଏକ ଝଲକ ପାଇବାକୁ ବଡ଼ଦାଣ୍ଡରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଏହି ଅବସରରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାପରେ ସେ ଅନୁଗୋଳ ଏବଂ କଟକଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। ଏହାପରେ ସେ ଫେରିଯିବେ ବୋଲି ଜଣାପଡ଼ିଛି।