କଣ୍ଟେଣ୍ଟ କ୍ରିଏଟର ମାନଙ୍କୁ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ସମ୍ମାନ । ପ୍ରଥମ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି । କଥା କଥାରେ ବଖାଣିଲେ କୋଣାର୍କ ସୂର୍ଯ୍ୟମନ୍ଦିରର ଅନନ୍ୟ ବୈଚିତ୍ର୍ୟ । ଏମାନେ ନୂଆ ଭାରତର ନୂଆ ଚେହେରା । ପରିବେଶ, ପର୍ଯ୍ୟଟନରୁ ପ୍ରଯୁକ୍ତି । ସଂଗୀତ, ସଂସ୍କୃତିରୁ ନେଇ ସ୍ୱଚ୍ଛତା ଓ ସୃଜନଶୀଳତା । ତା ସହ ଫିଟନେସ୍, ଫ୍ୟାସନ ଓ ଗେମିଂ । ଏଭଳି ୨୦ଟି ବର୍ଗରେ ପୁରସ୍କୃତ ହୋଇଛନ୍ତି ୨୩ ଜଣ କଣ୍ଟେଣ୍ଟ କ୍ରିଏଟର ।ପୁରସ୍କାର ପ୍ରଦାନ ଅବସରରେ ସେମାନଙ୍କ ସହ ହସଖୁସି ଥଟ୍ଟମଜା ବି କରଥିଲେ ପ୍ରଧାନମନ୍ତ୍ରୀ ମୋଦି ।ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡର ଅନ୍ୟ ପ୍ରମୁଖ ବିଜେତାଙ୍କ ମଧ୍ୟରେ ପୂର୍ବରୁ ମୋଦିଙ୍କ ସହ ନଜର ଆସିଥିବା ଅଙ୍କିତ ବୟାନପୁରିଆ ଫିଟନେସ ଏବଂ ଗୌରବ ଚୌଧରୀ ଟେକନୋଲୋଜି ପାଇଁ ପୁରସ୍କୃତ ହୋଇଥିବା ବେଳେ, RJ ରୌନକ କ୍ରିଏଟିଭ୍ କ୍ରିଏଟର୍ ପୁରୁଷ ବର୍ଗରେ ବିଜେତା ଘୋଷିତ ହୋଇଛନ୍ତି ।ଟ୍ରାଭେଲ୍ କ୍ରିଏଟର ଭାବେ ପୁରସ୍କୃତ ହୋଇଛନ୍ତି ନିକଟରେ ଓଡ଼ିଶାରେ ବିବାଦୀୟ ହୋଇଥିବା କାମିୟା ଜାନୀ। ଅମନ ଗୁପ୍ତାଙ୍କୁ ସେଲିବ୍ରିଟି କ୍ରିଏଟର ପୁରସ୍କାର ମିଳିଥିବା ବେଳେ, ୩ ଜଣ ବିଦେଶୀ କିଲି ପଲ୍, ଡ୍ରିଉ ହିକ୍ସ ଓ କ୍ୟାସାଣ୍ଡ୍ରା ସ୍ପିଟମାନଙ୍କୁ ମିଳିଛି ଇଣ୍ଟରନ୍ୟାସନାଲ କ୍ରିଏଟର୍ ଆୱାର୍ଡ । କଲଚୁରାଲ୍ ଆମ୍ବାସଡର ଅଫ୍ ଦି ଇୟର ଆୱାର୍ଡ ପାଇଛନ୍ତି ମୈଥିଲୀ ଠାକୁର ।