କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଜାତୀୟ ରାଜପଥ ଶୁଳ୍କ ସଂଗ୍ରହ ଦରକୁ ସଂଶୋଧନ କରିଛି । ଏ ନେଇ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ନୂତନ ନିୟମ ଅନୁଯାୟୀ, ଏବେ ନ୍ୟାସନାଲ୍ ପରମିଟ୍ ଥିବା ଗାଡ଼ି ବ୍ୟତୀତ କୌଣସି ଯାନ୍ତ୍ରିକ ଯାନର ଡ୍ରାଇଭର, ମାଲିକ କିମ୍ବା ଇନ୍-ଚାର୍ଜ ଯଦି ଜାତୀୟ ରାଜପଥ, ସ୍ଥାୟୀ ବ୍ରିଜ୍, ବାଇପାସ୍ କିମ୍ବା ଟନେଲର ସମାନ ସେକ୍ସନ ଉପଯୋଗ କରନ୍ତି, ତେବେ ‘ଜିରୋ ୟୁଜର ଶୁଳ୍କ’ ଲାଗିବ । କେବଳ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରାରେ ଏହା ଲାଗୁ ହେବ ।
ବିଜ୍ଞପ୍ତି ମୁତାବକ, ଗ୍ଲୋବାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଅଧୀନରେ ଯାତ୍ରାର ଦୂରତାକୁ ମପାଯିବ । ଯଦି ଦିନସାରାର ଯାତ୍ରା ୨୦ କିଲୋମିଟରରୁ ଅଧିକ, ତେବେ ସେହି ହିସାବରେ ପ୍ରକୃତ ଚାର୍ଜ ଲାଗିବ ।
ଜାତୀୟ ରାଜପଥ ଶୁଳ୍କ (ମୂଲ୍ୟ ଏବଂ ସଂଗ୍ରହ ନିର୍ଦ୍ଧାରଣ) ନିୟମ, ୨୦୦୮ରେ ସଂଶୋଧନ କରାଯାଇଛି । ଗ୍ଲୋବାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଆଧାରରେ ୟୁଜରଙ୍କଠାରୁ ଶୁଳ୍କ ନିଆଯିବ । ଗୋଟିଏ ଦିନରେ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ । କିନ୍ତୁ ଯଦି ଦୂରତା ୨୦ କିଲୋମିଟରରୁ ଅଧିକ ହୁଏ, ତା’ ହେଲେ ଯାତ୍ରା କରିଥିବା ବାସ୍ତବିକ ଦୂରତା ଅନୁଯାୟୀ ଫି ନିଆଯିବ ।