ଆଜି ଆମ ପାଖରେ ସୁଖ ସୁବିଧାର ଯେଉଁସବୁ ବି ଜିନିଷ ଅଛି ତାହା ସବୁ ବିଜ୍ଞାନର ଦାନ। ବନ୍ଦ ଘରେ ଆଲୋକର ବ୍ୟବସ୍ଥା ଠାରୁ ଆରମ୍ଭ କରି ଆକାଶରେ ଉଡିବା ପର୍ଯ୍ୟନ୍ତ ସବୁ ବିଜ୍ଞାନର ଖେଳ। ବିଜ୍ଞାନ ମନୁଷ୍ୟକୁ ଦୁଃଖରୁ ଦୂରେଇ ନେଇ ସୁଖ ଦେଇଛି, ଅଜ୍ଞାନକୁ ଦୂର କରିବା ପାଇଁ, ଅସୁବିଧାକୁ ସୁବିଧାରେ ପରିଣତ କରିବା ପାଇଁ ବିଜ୍ଞାନର ମହତ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତି ବର୍ଷ ୨୮ ଫେବୃଆରୀରେ ‘ଜାତୀୟ ବିଜ୍ଞାନ ଦିବସ’ ପାଳନ କରାଯାଏ। ବୈଜ୍ଞାନିକମାନଙ୍କ ସମାଜ ପ୍ରତି ଅବଦାନକୁ କୃତଜ୍ଞତାର ସହ ସ୍ବୀକୃତି ଦେବା ସହିତ ବିଜ୍ଞାନ ଶିକ୍ଷାକୁ ଆଗକୁ ନେବା ଏହି ଦିବସର ଲକ୍ଷ୍ୟ। ମୁଖ୍ୟତଃ ରମଣ ଇଫେକ୍ଟ ବା ରମଣ ପ୍ରଭାବର ଆବିଷ୍କାରକୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି। ସାର୍ ସି. ଭି. ରମଣ ୨୮ ଫେବୃୟାରୀ ୧୯୨୮ରେ ରମଣ ଇଫେକ୍ଟ ବା ରମଣ ପ୍ରଭାବ ଆବିଷ୍କାର ସମ୍ପର୍କରେ ଘୋଷଣା କରିଥିଲେ। ଏଥିତ୍ପାଇଁ ତାଙ୍କୁ ୧୯୩୦ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହିଦିନଟି ଲୋକଙ୍କ ଭିତରେ ବିଜ୍ଞାନ ପ୍ରତି ଭଲ ପାଇବାକୁ ଜାଗ୍ରତ କରିବା ପାଇଁ ପାଳନ କରାଯାଏ। ବିଜ୍ଞାନ ଆମକୁ କିପରି ପ୍ରତିଦିନ ସାହାଯ୍ୟ କରୁଛି ସେ ବିଷୟରେ ଅବଗତ କରାଯାଏ। ପ୍ରତ୍ୟେକ ବର୍ଷ ଏହି ଦିବସକୁ କିଛି ନା କିଛି ଥିମ୍ ସହିତ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ହେଉଛି “ଏକ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ”।