ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖିପାରିଲେ ନାହିଁ। କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ସ୍ବାଧୀନ ଭାରତର ପ୍ରଥମ ଆଥ୍ଲେଟ୍ ଭାବେ ଦୁଇ ପଦକ (ଟୋକିଓ-ସ୍ବର୍ଣ୍ଣ, ପ୍ୟାରିସ୍-ରୌପ୍ୟ) ଜିତି ଗୌରବ ରଚିଛନ୍ତି। ଅନ୍ୟ ଖେଳକୁ ମିଶାଇଲେ ସୁଶୀଲ କୁମାର (କୁସ୍ତି), ପିଭି ସିନ୍ଧୁ(ବ୍ୟାଡମିଣ୍ଟନ), ମନୁ ଭାକର (ସୁଟିଂ)ଙ୍କ ପରେ ଚତୁର୍ଥ ଭାରତୀୟ ଭାବେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିବାର ସଫଳତା ପାଇଲେ। ଅଲିମ୍ପିକ୍ ଜାଭଲିନ୍ ଫାଇନାଲ୍ କିନ୍ତୁ ଭାରତ-ପାକିସ୍ତାନ ଲଢ଼େଇ
ଭଳି ଦୃଶ୍ୟମାନ ହୋଇଥିଲା। ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ୍ ରେକର୍ଡ (୯୨.୯୭ ମିଟର) ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ। ପଡ଼ୋଶୀ ପାକିସ୍ତାନର ଏହା ସର୍ବପ୍ରଥମ ଅଲିମ୍ପିକ୍ସ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ହୋଇଛି। ପୂର୍ବରୁ କେବଳ ଦୁଇଟି କାଂସ୍ୟ ଜିତିଥିଲା ପାକିସ୍ତାନ। ପାକିସ୍ତାନ ହକି ଦଳ କିନ୍ତୁ ୩ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ ଜିତିଥିଲା। ବ୍ୟକ୍ତିଗତ ପଦକ ଦୁଇଟି ମହମ୍ମଦ ବଶିର (କୁସ୍ତି, ୧୯୬୦, ରୋମ) ଏବଂ ହୁସେନ୍ ସାହା (ମୁଷ୍ଟିଯୁଦ୍ଧ, ୧୯୮୮, ସିଓଲ) ଜିତିଥିଲେ।
ନୀରଜଙ୍କୁ ରୌପ୍ୟ;ପାକିସ୍ତାନର ଅର୍ଶଦ ନଦୀମଙ୍କୁ ସ୍ବର୍ଣ୍ଣ
Leave a comment