ନେପାଳ ଭୂମିକମ୍ପ ନେଉଛି ଅନେକ ଜୀବନ । ରାତିରେ ଶୋଇଥିବା ବେଳେ ୬.୪ ତୀବ୍ରତାର ଭୂମିକମ୍ପରେ ଥରିଲା ନେପାଳ । ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଜଣଙ୍କର ଜୀବନ ଯାଇଛି । ଅଧିକ ପ୍ରଭାବିତ ହୋଇଛି ନେପାଳରେ ରୁକୁମ ପଶ୍ଚିମ ଓ ଜାଜରକୋଟ ଜିଲ୍ଲା । ଜାଜରକୋଟ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ରୁକୁମ ୱେଷ୍ଟରେ ଯାଇଛି ୪୦ ଜୀବନ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଟ୍ଵିଟ୍ କରିଛନ୍ତି । ମୋଦି କହିଛନ୍ତି, ‘ଭାରତ ନେପାଳ ଲୋକଙ୍କ ସହିତ ରହିଛି । ଯେତେ ସମ୍ଭବ ସହାୟତା ଦେବାକୁ ପ୍ରସ୍ତୁତ ରହିଛି ଭାରତ । ଆମ ସମବେଦନା ଶୋକ ସନ୍ତପ୍ତ ପରିବାର ସହିତ ରହିଛି । ଏହାଛଡା ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।ଭୁଶୁଡ଼ି ପଡ଼ିଛି ବଡ଼ ବଡ଼ ବିଲଡିଂ ।
ଭୂମିକମ୍ପରେ ଆହତ ହୋଇଛନ୍ତି ଶତାଧିକ । ଧ୍ବଂସାବଶେଷ ତଳେ ଅନେକ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭୂକମ୍ପ ପ୍ରଭାବିତ କିଛି ଅଞ୍ଚଳକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ଫଳରେ ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ଗତକାଲି ରାତି ପ୍ରାୟ୧୧ଟା ୪୭ ମିନିଟରେ ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଥିଲେ ପଶ୍ଚିମ ନେପାଳର ଜାଜରକୋଟ । ଲୋକେ ଶୋଇଥିବା ବେଳେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଫଳରେ ଅନେକ ଜାଣି ପାରି ନଥିଲେ କଣ ହେଲା । ହଠାତ୍ ଘରୁ ବାହାରି ପାରି ନଥିଲେ ।
ମାଟିରେ ମିଶିଛି ବହୁ ଘରଦ୍ବାର, ବିଲଡିଂ । ଧ୍ବଂସାବଶେଷ ତଳୁ ଏବେ ଜୀବନ ଖୋଜା ଚାଲିଛି । ଏତେ ଜୋରରେ ଝଟକା ଅନୁଭୂତ ହୋଇଥିଲା ଯେ ଅନେକ ଲୋକ ଭୟରେ ଘରୁ ବାହାରି ଆସିଥିଲେ । ଅଧିକ ପ୍ରଭାବିତ ହୋଇଛି ଜାଜରକୋଟ ଜିଲ୍ଲାର ଭେରି, ନାଲଗାଡ଼, କୁଶେ, ବାରେକୋଟ ଓ ଛେଡାଗଦ ।