ଶନିବାର ପାହାନ୍ତାରେ ନେପାଳରେ ପୁଣି ଥରେ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି।ଶୁକ୍ରବାର ବିଳମ୍ବିତ ରାତ୍ରରେ ନେପାଳରେ ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଘଟି ୧୫୭ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ଅନେକ ଘରବାଡ଼ି ଭାଙ୍ଗିଯାଇଥିଲା। କେବଳ ସେତିକି ନୁହେଁ, ଶନିବାର ଅପରାହ୍ଣରେ ମଧ୍ୟ ୩.୩ ତୀବ୍ରତାବିଶିଷ୍ଟ ଭୂମିକମ୍ପ ପରବର୍ତ୍ତୀ କମ୍ପନ ଅନୁଭୂତ ହୋଇଥିଲା।
ପଡ଼ୋଶୀ ଦେଶ ଭାବେ ଭାରତ ଏଭଳି ଦୁର୍ବିପାକ ବେଳେ ନେପାଳକୁ ସାହାଯ୍ୟ କରିବ ବୋଲି ଘୋଷଣା କରିଛି। ନେପାଳରେ ରହୁଥିବା ଭାରତୀୟମାନଙ୍କୁ ସାହାଯ୍ୟ କରିବା ଲାଗି ମଧ୍ୟ ଭାରତ ‘ଏମର୍ଜେନ୍ସି କଣ୍ଟାକ୍ଟ୍ ନମ୍ବର’ (+୯୭୭-୯୮୫୧୩୧୬୮୦୭) ରିଲିଜ୍ କରିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭୂମିକମ୍ପ ଯୋଗୁଁ ନେପାଳରେ ଘଟିଥିବା ଧନଜୀବନ ନଷ୍ଟ ଲାଗି ଗଭୀର ଦୁଃଖ ବ୍ୟକ୍ତ କରିଥିଲେ। ନେପାଳକୁ ସମର୍ଥନ କରିବା ସହିତ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଭାରତ ଆଗ୍ରହୀ ବୋଲି ସେ କହିଥିଲେ।