୮ଘଣ୍ଟାର ନନ୍ଷ୍ଟପ୍ ଅପରେସନ । ବୋର୍ୱେଲରୁ ଜିତିଲା ଜୀବନ । ସୁରକ୍ଷିତ ଉଦ୍ଧାର ହେଲା ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲିରେ ବୋର୍ୱେଲରେ ପଡ଼ିଥିବା ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପରେ ତାକୁ ଆମ୍ବୁଲାନ୍ସରେ ବୁର୍ଲା ହସ୍ପିଟାଲ୍ ନିଆଯାଇ ଚିକିତ୍ସା କରଯାଉଛି ।ଶିଶୁଟିକୁ ଉଦ୍ଧାର କରାଯିବା ପରେ ଚାରିଆଡ଼େ ଖୁସିର ଲହରି ଖେଳି ଯାଇଛି । ବିଶେଷ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଯୋଗୁ ଶିଶୁଟି ସୁରକ୍ଷିତ ଭାବେ ପାଇପ୍ରୁ ଉଦ୍ଧାର ହୋଇଛି । ତେବେ ରେସ୍କ୍ୟୁ ଟିମ୍ ପାଇଁ ୧୩ ଫୁଟ ତଳେ ୮ ଘଣ୍ଟା ଫସି ରହିଥିବା ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିବା ଏତେଟା ସହଜ ନଥିଲା ।ପିଲାଟିର କାନ୍ଦ ଉଦ୍ଧାରକାରୀ ଟିମ୍କୁ ବେଶୀ ଉତ୍ସାହିତ କରିଥିଲା । ଏଥିପାଇଁ ବିଶେଷ ସହାୟକ ହୋଇଥିଲା ଭୁବନେଶ୍ୱରରୁ ଏୟାରଲିଫ୍ଟ ହୋଇଥିବା ଭିକ୍ଟିମ୍ ଲୋକେସନ କ୍ୟାମେରା । ଏଥିସହ ବୋର୍ୱେଲ ରେସ୍କ୍ୟୁ ଇତିହାସରେ ଓଡ଼ିଶା ପାଇଁ ବଡ଼ ଅଭିଜ୍ଞତା ମିଳିଛି ।ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ । ଅମୂଲ୍ୟ ଜୀବନଟିକୁ ରକ୍ଷା କରିବା ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ, ପୋଲିସ, ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।