ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ହୋଇନପାରିବା ଇଣ୍ଡିଆ ମେଣ୍ଟ ପାଇଁ ଜଟିଳ ସ୍ଥିତି ସୃଷ୍ଟି କଲାଣି। ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଂଗରେ କଂଗ୍ରେସ ସହ କୌଣସି ସ୍ଥିତିରେ ବି ମେଣ୍ଟ କରାଯିବ ନାହିଁ ବୋଲି ଆଜି ଘୋଷଣା କରିଥିବା ବେଳେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପଂଜାବରେ କଂଗ୍ରେସ ସହ ଦଳ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ମେଣ୍ଟର ଦୁଇ ପ୍ରମୁଖ ନେତାଙ୍କ ଏଭଳି ଆଭିମୁଖ୍ୟ କଂଗ୍ରେସ ପାଇଁ ବଡ଼ ଝଟ୍କା ହୋଇଥିବା ବେଳେ ଏହା ଇଣ୍ଡିଆ ମେଣ୍ଟର ରଣନୀତିକୁ ଦୁର୍ବଳ କରିଦେବ ବୋଲି କୁହାଯାଉଛି। ମମତା କହିଛନ୍ତି, ଦଳ ପଶ୍ଚମବଂଗରେ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। କଂଗ୍ରେସ ସହ ଆସନ ବୁଝାମଣା ବିଫଳ ହୋଇଛି ଏବଂ ରାଜ୍ୟରେ ମେଣ୍ଟ ହେବନାହିଁ ବୋଲି ମମତାଙ୍କ ଘୋଷଣା ପରେ କଂଗ୍ରେସ ନିଜ ଆଭିମୁଖ୍ୟ ନରମ କରି ମମତାଙ୍କୁ ମନାଇବାକୁ ପ୍ରୟାସ ଜାରି ରଖିଛି।ଗତକାଲି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ତାଙ୍କୁ ସୁବିଧାବାଦୀ ବୋଲି କହିଥିଲେ। ମମତାଙ୍କ ବିନା ସହାୟତାରେ ଦଳ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ଅଧୀର ରଂଜନଙ୍କ ଦୃଢ଼ୋକ୍ତି ପରେ ଆଜି ମମତା ଟିଏମ୍ସିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମମତା ଓ ଅଧୀରଙ୍କ ମଧ୍ୟରେ ବିବାଦ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ମମତାଙ୍କୁ ମନାଇବାକୁ ପ୍ରୟାସ କରିଥିଲେ। ତେବେ ଏହା ସଫଳ ହୋଇନାହିଁ। ମମତା କହିଛନ୍ତି ଯେ କଂଗ୍ରେସ ଦଳ ମନକୁ ମନ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଛି ଏବଂ ରାଜ୍ୟରେ ଏହି ଯାତ୍ରା ବାବଦରେ ତାଙ୍କୁ ସୂଚନା ଦିଆଯାଇନାହିଁ। ଏଭଳି ସ୍ଥିତିରେ ନ୍ୟାୟ ଯାତ୍ରାକୁ ପଶ୍ଚିମବଂଗରେ ସମର୍ଥନ ମିଳିବ ନାହିଁ ବୋଲି କଂଗ୍ରେସ ଆଶଙ୍କା କରୁଛି।