ଆଜି ନୂଆଖାଇ । ଗଣପର୍ବ ନେଇ ଚଳଞ୍ଚଳ ପଶ୍ଚିମ ଓଡ଼ିଶା । ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ନୂଆ ପିନ୍ଧି ନୂଆ ଖାଇବେ ପରସ୍ପରକୁ ଜୁହାର ଭେଟ ଜଣାଇବେ । ଏନେଇ ସରିଛି ସମସ୍ତ ପ୍ରସ୍ତୁତି । ଚାଷୀ ତା ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୨୭ ରୁ ୧୦ଟା ୪୨ ମଧ୍ୟରେ ମାଙ୍କ ନିକଟରେ ନବାନ୍ନ ଲାଗି ହେବ । ନୂଆଁଲାଗି ସାରିବା ପରେ ପରିବାର ସହ ଏକାଠି ନୂଆଁଖାଇବେ ପଶ୍ଚିମ ଓଡିଶାବାସୀ । ଏନେଇ ଘରେ ଘରେ ଆରମ୍ଭ ହୋଇଗଲାଣି ପିଠାପଣା ପ୍ରସ୍ତୁତି ।
ଓଡ଼ିଶାର ପଶ୍ଚିମାଞ୍ଚଳର ପ୍ରଧାନ ପର୍ବ ‘ନୂଆଖାଇ ଜୁହାର ଭେଟ’ ଆଦିମ କାଳରୁ ପ୍ରଚଳିତ। ଆକ୍ଷରିକ ଭାଷାର ଉଦ୍ଭାବନର ଅନେକ ପୂର୍ବରୁ ପ୍ରଚଳିତ ଏହି ପର୍ବର କୌଣସି ନିର୍ଦ୍ଦିଷ୍ଟ ଲିପିବଦ୍ଧ ରୀତିନୀତି ନାହିଁ। ବର୍ଷର ନୂଆ ଧାନ ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇଥିଲେ ହେଁ ଆଜିକାଲି ଭାଦ୍ରବ ମାସରେ ଧାନ ଅମଳ ହୋଇପାରୁନାହିଁ। ପରିବାରରେ ଏକତ୍ରିତ ଭୋଜନ କରିବା ଓ ସାମାଜିକ ସ୍ତରରେ ଜୁହାର ଭେଟ ହେବାର ପ୍ରଥା କିନ୍ତୁ ଆଜି ମଧ୍ୟ ପ୍ରଚଳିତ। ମାଟିର କଳା ଓ ସଂସ୍କୃତିର ପରିବେଷଣ ମଧ୍ୟ ହେଉଛି। କାଳକ୍ରମେ ଏହି ଗଣପର୍ବର ମହତ୍ଵ ବଢିଛି ନା କମିଛି ତାହା ଅଞ୍ଚଳବାସୀ ଜାଣିଥିବେ। ଆଜିର ମଣିଷ ଜାତି କୃଷି କାମରୁ ଦୂରରେ ଯାଉଥିଲେ ହେଁ ଦୂର ଦୂରାନ୍ତରେ ରହୁଥିବା ପଶ୍ଚିମାଞ୍ଚଳର ଅଧିବାସୀମାନେ ନୂଆଖାଇ ପାଳିବା ପାଇଁ ନିଜର ଜନ୍ମମାଟିକୁ ଫେରି ଆସନ୍ତିମାଟି ମା’ର ମମତାକୁ ଅଞ୍ଚଳବାସୀଙ୍କ ହୃଦୟରେ ଉଦ୍ଘାଟନ କରୁଥିବା ଏହି ପର୍ବର ମହତ୍ଵ ଅନନ୍ୟ। କାଳକ୍ରମେ ନୂଆଖାଇ ପର୍ବର ପାଳନ ପଦ୍ଧତିରେ ନୂତନତାର ଆଗମନ ହୋଇଛି। ଶରୀରର କ୍ଷୁଧା ମେଣ୍ଟାଇବା ପାଇଁ ଆଦିବାସୀମାନେ କୃଷି କାମ କରି ଖାଦ୍ୟ ଉତ୍ପାଦନ ଏବଂ ସଂଗ୍ରହ କରୁଥିଲେ। ସେମାନେ ନୂତନ ଅନ୍ନର ଭୋଜନ ପୂର୍ବରୁ ଜଗତ ଜନନୀ ବସୁଧାର ପୂଜା କରୁଥିଲେ। ଆଜି ମଧ୍ୟ ଗ୍ରାମାଞ୍ଚଳର ଚାଷୀମାନେ ବିଲରେ ଭୂମି ପୂଜା କରନ୍ତି। ଗଡ଼ଜାତ ଶାସନ ସମୟରେ ନୂଆଖାଇ ପର୍ବର ପାଳନ ପଦ୍ଧତିରେ କିଛି ନୂତନ ନିୟମ କାନୁନ ଲାଗୁହେଇଛି। ସେଗୁଡ଼ିକ କେତେ ଯୁକ୍ତିଯୁକ୍ତ ତାହା ଅଞ୍ଚଳବାସୀ ବିଚାର କରିବେ। ଲେଖକଙ୍କ ଉଦ୍ଦେଶ୍ୟ ହେଲା ପଶ୍ଚିମାଞ୍ଚଳ ଆଦିବାସୀଙ୍କ ବିଶେଷ ଜ୍ଞାନରୁ ଜନ୍ମ ହୋଇଥିବା ନୂଆଖାଇ ଜୁହାର ଭେଟର ମହତ୍ଵକୁ ଅଞ୍ଚଳବାସୀଙ୍କ ହୃଦୟରେ ପୁନଃ ଉଦ୍ଘାଟନ କରିବା।