୫ ଦଫା ଦାବି ନେଇ ଆଜିଠାରୁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଛନ୍ତି ଚର୍ଚ୍ଚାରେ ଥିବା ଓଡ଼ିଆ ଫିଲ୍ମ ‘ପ୍ରଥା’ର ପ୍ରଯୋଜିକା ସନଲିଶା ପଟେଲ। ଓଡ଼ିଆ ଫିଲ୍ମ ଜଗତକୁ ବଞ୍ଚାଇବା ତାଙ୍କ ଧାରଣାର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସରକାର ତାଙ୍କ ଦାବି ପୂରଣ ନ କରିବା ଯାଏ ସେ ଧାରଣା ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି। ସନଲିଶା ସରକାରଙ୍କ ନିକଟରେ ରଖିଥିବା ୫ ଦଫା ଦାବିଗୁଡ଼ିକ ହେଲା, ପ୍ରତି ବ୍ଲକ୍ ମୁଖ୍ୟାଳୟରେ ଗୋଟିଏ ଲେଖାଏଁ ସିନେମା ହଲ୍ ପ୍ରତିଷ୍ଠା, ଅନ୍ୟ ରାଜ୍ୟମାନଙ୍କ ପରି ମଲ୍ଟିପ୍ଲେକ୍ସ ଓ ହଲ୍ଗୁଡ଼ିକ ଯେପରି ଓଡ଼ିଆ ଫିଲ୍ମକୁ ଚଲାଇବା ପାଇଁ ବାଧ୍ୟ ହେବେ ସେହିପରି ଆଇନ ପ୍ରଣୟନ, ବିତରଣ, ପ୍ରଦର୍ଶନ, ସିନେମା ଚାଲିବା ପରେ ଟଙ୍କା ଫେରିପାଇବା ଏବଂ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ପାଇଁ ବ୍ୟବସ୍ଥା ତଥା ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ସିନେମାକୁ ଟିକସମୁକ୍ତ କରାଯିବା ସାଙ୍ଗକୁ ସିନେମା ନିର୍ମାଣ ଲାଗି ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ। ଏହାସହ ସିନେମା ଶିଳ୍ପ ସହିତ ସଂପୃକ୍ତ ଲୋକଙ୍କର ସୁରକ୍ଷା ପାଇଁ କିଛି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଛନ୍ତି। ଶିଳ୍ପ ବିଭାଗର ‘ଗୋ ସ୍ବିଫ୍ଟ ଯୋଜନା’ରେ ଶିଳ୍ପାନୁଷ୍ଠାନ ଓ ଶିଳ୍ପୋଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି। କିନ୍ତୁ ଚଳଚ୍ଚିତ୍ର ଶିଳ୍ପକୁ ସେଥିରୁ ବଞ୍ଚିତ କାହିଁକି କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।ଓଡ଼ିଆ ଚଳଚ୍ଚିତ୍ର ଓଡ଼ିଶା ସରକାରଙ୍କର କେଉଁ ବିଭାଗ ଅଧୀନରେ ରହିଛି, ଏହା ମଧ୍ୟ ଦ୍ବନ୍ଦ୍ବ ଭିତରେ ରହିଛି। ସେ କହିଛନ୍ତି, ‘‘ପୂର୍ବରୁ ବି ଏହି ସମସ୍ୟା ନେଇ ସରକାରୀସ୍ତରରେ ସମସ୍ତଙ୍କୁ ଅବଗତ କରିଥିଲି। କିନ୍ତୁ ନ୍ୟାୟ ମିଳିଲାନି। ତେଣୁ ସମସ୍ୟାର ସମାଧାନ ପାଇଁ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛି।’’ ସନଲିଶାଙ୍କ ସମର୍ଥନରେ ଧାରଣାରେ ଯୋଗ ଦେଇଥିବା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି କହିଛନ୍ତି, ସନଲିଶା ଯେଉଁସବୁ ଦାବି ଉଠାଇଛନ୍ତି, ତାହା ଓଡ଼ିଆ ସିନେ ଜଗତ ପାଇଁ ଗୁରୁତ୍ବପୂର୍ଣ୍ଣ। ଏବେ ସିନେମା ଜଗତର ଭବିଷ୍ୟତ ପାଇଁ ସମସ୍ତେ ଏକଜୁଟ୍ ହେବାର ସମୟ ଆସିଛି। ବିଶେଷ କରି ଓଡ଼ିଶାରେ ଓଡ଼ିଆ ସିନେମା ପାଇଁ ହଲ୍ ନିହାତି ଦରକାର, ତେଣୁ ସରକାର ଏହି ଦାବିଗୁଡ଼ିକୁ ଗୁରୁତର ସହ ଗ୍ରହଣ କରିବା ଆବଶ୍ୟକ।