ଯେଉଁ ଯୋଜନା ନବୀନ ପଟ୍ଟନାୟକ ସରକାରରେ ଚାଲୁଥିଲା, ତାହା ମୋହନ ମାଝୀ ସରକାରରେ ମଧ୍ୟ ଜାରି ରହିବ। ତେବେ ଯେଉଁ ଯୋଜନାମାନଙ୍କରେ ବିଜୁ ଓ ନବୀନଙ୍କ ନାମ ଥିଲା, ନୂଆ ସରକାରରେ ସେସବୁର ନାମ ବଦଳାଇ ଦିଆଯାଇଛି। ଏଥିସହିତ ପାଖାପାଖି ୧୬ଟି ନୂତନ ପଦକ୍ଷେପ ନେଇଛନ୍ତି ସରକାର। ଏଭଳି ଅନେକ ପରିବର୍ତ୍ତନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ୨୦୨୪-୨୫ଆର୍ଥିକ ବର୍ଷ ଲାଗି ବିଶାଳ ତଥା ସର୍ବକାଳୀନ ବଡ଼ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ର ଆକାର ୨ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ୨୦୨୩-୨୪ବଜେଟ୍ ଠାରୁ ଏହା ୧୫% ଅଧିକ। ୨୦୨୩-୨୪ ଆର୍ଥିକ ବର୍ଷରେ ୨ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିଲା। ଅତି ସଂକ୍ଷେପରେ କହିଲେ, ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଏହାର ଇସ୍ତାହାରରେ ରାଜ୍ୟବାସୀଙ୍କ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, କ୍ଷମତାକୁ ଆସିବା ପରେ ମୋହନ ସରକାର ସେଥିରୁ ଅନେକର କାର୍ଯ୍ୟାନ୍ବୟନ ପାଇଁ ଉଦ୍ୟମ କରିଛନ୍ତି। ଯେହେତୁ ସ୍ବୟଂ ମୁଖ୍ୟମନ୍ତ୍ରୀ ନିଜ ହାତରେ ଅର୍ଥ ବିଭାଗ ରଖିଛନ୍ତି, ଏଣୁ ସ୍ବାଭାବିକ ଭାବେ ପ୍ରସ୍ତାବିତ ବଜେଟ୍ରୁ ଗୁରୁତ୍ବ ବଢ଼ିଛି। ସରକାର ଏହାକୁ ଜନସାଧାରଣଙ୍କ ବଜେଟ୍ ବୋଲି ସୂଚାଇବା ସହିତ ‘ବିକଶିତ ଓଡ଼ିଶା -ବିକଶିତ ଭାରତ’ ସ୍ଲୋଗାନ୍ ଦେଇଛନ୍ତି।