୪୦ଟି ଛୋଟ ବଡ଼ ମେସିନ୍ରେ ଦିନରାତି ଚାଲିଛି ଗଣତି। କାଳେ କୌଣସି ମେସିନ୍ ଖରାପ ହୋଇଯିବ, କାମ ଅଟକିଯିବ; ସେଥିପାଇଁ କର୍ମଚାରୀ ଜଗି ବସିଛନ୍ତି। ବ୍ୟାଙ୍କ ଯାଏ ଟଙ୍କା ପହଞ୍ଚିବାରେ ଯେମିତି କିଛି ସମସ୍ୟା ନ ହୁଏ, ସେଥିଲାଗି ପରିବହନ ବିଭାଗ ଜରିଆରେ ଅଧିକ ଗାଡ଼ି ନିୟୋଜିତ କରାଯାଇଛି। ସେପଟେ ଛୁଟି ସତ୍ତ୍ବେ ୫୦ରୁ ଅଧିକ ବ୍ୟାଙ୍କ କର୍ମଚାରୀ ଦିନରାତି ଏକ କରି ବିଡ଼ା ପରେ ବିଡ଼ା ଗଣା ଜାରି ରଖିଛନ୍ତି। ମଦ ବେପାରୀଙ୍କ ପ୍ରତିନିଧି, ଆୟକର ଅଧିକାରୀ ଏବଂ ବ୍ୟାଙ୍କ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ୧୭୬ ବସ୍ତାରୁ ଗୋଟିଏ ପରେ ଗୋଟିଏ ବିଡ଼ା କଢ଼ାଯାଇ ଏଭଳି ଢଙ୍ଗରେ ଦିନତମାମ ଗଣତି କରାଯାଉଛି। ଏଯାଏ ୨୯୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି।ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ଲିଙ୍କ୍ରେ ମଦ ବେପାରୀଙ୍କ ଘର, କାର୍ଯ୍ୟାଳୟ ଆଦିରେ ବୁଧବାର ଠାରୁ ଚାରିଦିନ ଧରି ଚାଲିଥିବା ଚଢ଼ଉ ଘଟଣା ପୂରା ଦେଶରେ ଏବେ ହଇଚଇ ସୃଷ୍ଟି କରିଛି। ସାରା ଭାରତରେ କୌଣସି ଗୋଟିଏ ଚଢ଼ଉରେ ଏତେ ପରିମାଣର ଅର୍ଥ କେବେ ବି ଜବତ ହୋଇନଥିଲା। ଏହି ଘଟଣାକୁ ନେଇ ପୂରା ଜାତୀୟ ରାଜନୀତି ହଲଚଲ୍ ହେଲାଣି। ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜନୈତିକ ଦଳମାନଙ୍କ ମଧ୍ୟରେ କାଦୁଅଫିଙ୍ଗା ଜୋର ଧରିଛି। ଏସବୁ ଭିତରେ ଗଣତି ଜାରି ରହିଛି ଓ ଆୟକର ବିଭାଗର ଚଢ଼ଉ ବି। ଆଜି ହାଇଦ୍ରାବାଦ୍ରୁ ଆଉ କିଛି ଆୟକର ଅଧିକାରୀ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ଆୟକର ଅଧିକାରୀମାନେ ଏଯାଏ ପାଖାପଖି ୩୩୪ କୋଟି ନଗଦ ଟଙ୍କା ଜବତ କରିସାରିଲେଣି। ଏ ମଧ୍ୟରେ କିଛି ଚିରାଫଟା ଟଙ୍କା ରହିଛି, କିଛି ଅଚଳନ୍ତି ବି। ହେଲେ ଏହା ନଗଣ୍ୟ।