ନୂଆଦିଲ୍ଲୀ : ପୁଣି ଥରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ। ଧମକ ଦେଇଥିବା ବ୍ୟକ୍ତି ସଲମାନଙ୍କୁ ଜୀବନ ବଞ୍ଚାଇବାକୁ ଦୁଇଟି ବିକଳ୍ପ ଦେଇଛି । ହନୁମାନ ମନ୍ଦିର ଯାଇ କ୍ଷମା ମାଗନ୍ତୁ କିମ୍ବା ୫କୋଟି ଟଙ୍କା ଦିଅନ୍ତୁ । ଯଦି କଥା ନମାନିବେ ତେବେ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା କରିବେ ବୋଲି ଧମକ ମିଳିଛି । ମୁମ୍ଵାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ୟୁନିଟକୁ ଏହି ମେସେଜ ଆସିଥିବା ମୁମ୍ଵାଇ ପୋଲିସ ପକ୍ଷରୁ କୁହାଯାଇଛି। ଯିଏ ପଠାଇଛି, ସେ ନିଜକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ବୋଲି କହିଛି। ତେବେ ଏହି ଧମକ ସତ କି, ପ୍ରକୃତରେ କିଏ ପଠାଇଛି, ତା’ର ତଦନ୍ତ ଆରମ୍ଭ କରିଛି ମୁମ୍ଵାଇ ପୋଲିସ।
କିଛି ଦିନ ହେବ ସଲମାନଙ୍କୁ ଲଗାତାର ଧମକ ମିଳୁଛି । ମୁମ୍ଵାଇର ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନ ଖାନଙ୍କୁ ଏମିତି ବହୁତ ଥର ଧମକ ଆସିଛି। ମୁମ୍ବାଇ ପୋଲିସ ମଧ୍ୟ ସଲମାନ ଖାନଙ୍କ ସୁରକ୍ଷା ବଢ଼ାଇ ଦେଇଛି। ଏମିତି ଧମକ ଦେବା ଅଭିଯୋଗରେ ଅକ୍ଟୋବର ୨୮ ତାରିଖରେ ନୋଏଡ଼ାରୁ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା।
ଅକ୍ଟୋବର ୧୨ ତାରିଖରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୁଅ ଜିଶନ ସିଦ୍ଦିକିଙ୍କ ଅଫିସ ବାହାରେ ତାଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତ। ଲରେନସ ବିଷ୍ଣୋଇ ଗ୍ୟାଙ୍ଗ ଏହି କାଣ୍ଡ କରିଥିବାର ଦାବି କରିଛି। ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ହୋଇଥିବାରୁ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି। ଏହି ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ମୁମ୍ଵାଇ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି।