ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହେବ ଏକ ଦେଶ ଏକ ଇଲେକସନ୍ ବିଲ। ମଧ୍ୟାହ୍ନ ୧୨ଟା ସମୟରେ ଲୋକସଭାରେ ଆଗତ ହେବ ଏହି ବିଲ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଧେୟକ ଆଗତ କରିପାରନ୍ତି। ଏ ନେଇ ବିଜେପି ପକ୍ଷରୁ ଗୃହରେ ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କ ପାଇଁ ହ୍ଵିପ ଜାରି ହୋଇଛି। ଏହି ବିଲ ଲୋକସଭାରେ ଆଗତ ପରେ ପାର୍ଲାମେଣ୍ଟର ଦୁଇ ସଦନର ମିଳିତ କମିଟି ନିକଟକୁ ପଠାଯାଇପାରେ। ବିଲକୁ ଲୋକସଭାରେ ଉପସ୍ଥାପନ ପରେ ସଂସଦର ମିଳିତ କମିଟିକୁ ପଠାଇବାକୁ ଅନୁରୋଧ କରିପାରନ୍ତି ଆଇନମନ୍ତ୍ରୀ। ସମସ୍ତ ଦଳର ସାଂସଦ ପ୍ରତିନିଧିଙ୍କୁ ନେଇ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯିବ ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୱାନ ନେସନ ୱାନ ଇଲେକସନ୍ ବିଚାର ନେଇ କମିଟି ଗଠନ ହୋଇଥିଲା। ଦେଶର ସମସ୍ତ ଦଳ ସହ ବିଚାର ବିମର୍ଶ ପରେ ଗତ ମାର୍ଚ୍ଚ ୧୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରିପୋର୍ଟ ଉପସ୍ଥାପନ କରିଥିଲେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ। ଏହି କମିଟି ରିପୋର୍ଟକୁ ଗତ ୧୮ ସେପ୍ଟେମ୍ବରରେ ମୋଦି କ୍ୟାବିନେଟ ମଂଜୁରୀ ପ୍ରଦାନ କରିଥିଲେ।
ତେବେ ଏକକ ନିର୍ବାତନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି। କେନ୍ଦ୍ର ସରକାରଙ୍କ ନେତୃତ୍ବାଧୀନ କେନ୍ଦ୍ର କ୍ୟାବିନେଟ୍ ଗତ ସପ୍ତାହରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ସ୍ଥାନୀୟ ନିର୍ବାଚନ କିପରି ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।
ସମ୍ପ୍ରତି ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ବିଲ୍ ପାରିତ ହେଲେ ଗୋଟିଏ ସମୟରେ ନିର୍ବାଚନ ହେବ । ତେବେ କେନ୍ଦ୍ର ସରକାରଙ୍କ ଏ ନିଷ୍ପତିକୁ ବିରୋଧୀ ଦଳଭାବେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟୀ ବିରୋଧ କରି ଆସୁଛନ୍ତି ।