ଓ୍ବାନ ନେଶନ ଓ୍ବାନ ଇଲେକ୍ସନ ନିର୍ବାଚନ ପ୍ରସ୍ତାବକୁ ମୋଦି କ୍ୟାବିନେଟରେ ଅନୁମୋଦନ ମିଳିଛି। ଏହାକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନ ପରେ ୧୦୦ଦିନ ମଧ୍ୟରେ ସ୍ଥାନୀୟ ନିର୍ବାଚନ (ପଞ୍ଚାୟତ ଏବଂ ନଗରନିଗମ) ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ରହିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏହା କମିଟି ଗଠନ କରିବ ବୋଲି ସରକାର କହିଛନ୍ତି। ପ୍ରସ୍ତାବ ଅନୁମୋଦନ ପାଇବା ପରେ, ପୁରା ଦେଶରେ ଏହାକୁ ନେଇ ଚର୍ଚ୍ଚା ହେଉଛି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ବିପୁଳ ସମର୍ଥନ ମିଳୁଥିବା ଏବଂ ମୋଟ ୩୨ଟି ରାଜନୈତିକ ଦଳ ଏହାର ସପକ୍ଷରେ ଥିବାବେଳେ ମାତ୍ର ୧୫ଟି ଦଳ ବିରୋଧ କରୁଥିବା କେନ୍ଦ୍ର ସରକାର ଦାବି କରିଛନ୍ତି। କୋବିନ୍ଦ ପ୍ୟାନେଲ ମୋଟ ୬୨ଟି ରାଜନୈତିକ ଦଳଠାରୁ ମତାମତ ଲୋଡ଼ିଥିଲେ। ସେଥିରୁ ୪୭ଟି ଦଳ ନିଜର ମତ ରଖିଥିବାବେଳେ ୩୨ଟି ସମର୍ଥନ କରିଥିଲେ। ଜାତୀୟ ଦଳ ମଧ୍ୟରେ କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି, ସିପିଆଇଏମ୍ ଓ ବହୁଜନ ସମାଜ ପାର୍ଟି ଆଦି ବିରୋଧ କରୁଥିବା ରିପୋର୍ଟରେ ଦର୍ଶାଯାଇଥିଲାଟ୍ଟ କିନ୍ତୁ ବହୁଜନ ସମାଜ ପାର୍ଟି ଏବେ ଏକପ୍ରକାର ସମର୍ଥନ କରିଛି। ଅପରପକ୍ଷରେ ବିଜେପି ସହିତ ନ୍ୟାସନାଲ ପିପୁଲ୍ସ ପାର୍ଟି ସପକ୍ଷରେ ମତ ଦେଇଥିଲା।ବୁଧବାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ବିରୋଧୀ ଦଳଗୁଡ଼ିକ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ଏକକାଳୀନ ନିର୍ବାଚନ ସଙ୍ଘୀୟ ବ୍ୟବସ୍ଥାର ପରିପନ୍ଥୀ ଏବଂ ସମ୍ବିଧାନର ମୌଳିକତାକୁ କ୍ଷୁଣ୍ଣ କରିବା ସହ ଗଣତନ୍ତ୍ରକୁ ଦୁର୍ବଳ କରିବ ବୋଲି ସେମାନେ ଦର୍ଶାଇଛନ୍ତି। ଦେଶରେ ଏକକାଳୀନ ନିର୍ବାଚନ ଅସମ୍ଭବ ବୋଲି ମତ ଦେଇଛି କଂଗ୍ରେସ।